ମହାନଗର

ବର୍ଷାରେ ବେହାଲ୍ ରାଜଧାନୀ

ଭୁବନେଶ୍ବର : ଦୁଇ ଘଣ୍ଟାର ବଡ଼ ବର୍ଷାରେ ରାଜଧାନୀ ଭୁବନେଶ୍ବର ଅବସ୍ଥା ବେହାଲ୍। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗୁଛି। ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ ସୃଷ୍ଟି କରୁଛି ନଦୀର ଭ୍ରମ । ଜୀବନଯାତ୍ରା ଏକରକମ ଠପ୍ । ବହୁସ୍ଥାନରେ ଲମ୍ବାଧାଡ଼ିରେ ଅଟକି ରହିଛି ଗାଡ଼ିମଟର। ଟ୍ରାଫିକ ଜାମରେ ଫସି ମୁକୁଳିବା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାରି ରହିଛି ବର୍ଷା। ରାସ୍ତାଘାଟରେ ଅଟକି ରହିଛନ୍ତି ହଜାରହଜାର ଲୋକ।

ଲଗାତର ପ୍ରବଳ ବର୍ଷା ହେତୁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଲହଡି ଭାଙ୍ଗଛି ବର୍ଷାପାଣି। ସହରର ମୁଖ୍ୟରାସ୍ତାଗୁଡ଼ିକରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଥିବାରୁ ବନ୍ୟା ଭଳି ଦୃଶ୍ୟ ସୃଷ୍ଟି କରିଛି। ଭୁବନେଶ୍ବରର ଅନ୍ୟତମ ମୁଖ୍ୟରାସ୍ତା କଳିଙ୍ଗ ଷ୍ଟାଡିୟମଠାରୁ ପୁଲିସ କମିସନରେଟ୍ ମଧ୍ୟରେ ରାସ୍ତାରେ ବର୍ଷାପାଣି ଡିଭାଇଡର୍ ଉପରେ ବହୁଛି । ସେହିପରି ଇସ୍କନ୍ ସାମ୍ନାରେ ମଧ୍ୟ ଗାଡ଼ି ବୁଡ଼ିଯିବା ଭଳି ପାଣି ହୋଇଛି। ରସୁଲଗଡ଼ଠାରୁ କଳ୍ପନା ଯାଇଥିବା କଟକ ରୋଡର ବହୁସ୍ଥାନରେ ପ୍ରବଳ ପାଣି ହେତୁ ଯାନବାହନ ଚଳାଚଳ କରିବା ବିପଜ୍ଜନକ ହୋଇପଡ଼ିଛି। ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ଗାଡ଼ିର ଚକ ବୁଡ଼ି ଯାଉଛି। ସେହପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବି ବର୍ଷାପାଣି ଲହଡି ଭାଙ୍ଗୁଛି। ଅନ୍ୟପକ୍ଷରେ ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର।  ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଅଣ୍ଟାଏ ଉଚ୍ଚର ପାଣି ରାସ୍ତାରେ ଚାଲୁଛି। ବର୍ତ୍ତମାନ ବି ପ୍ରବଳ ବର୍ଷା ଜାରିଥିବାରୁ ପାଣିସ୍ତର ବଢ଼ିବାରେ ଲାଗିଛି। ରାସ୍ତାଘାଟ ବୁଡ଼ି ରହିଥିବାରୁ ବହୁସ୍ଥାନରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଛି।

ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏଭଳି ମୁଷଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସଂଧ୍ୟା ହୋଇଯାଇଥିବାରୁ ପାଣି ଭିତରେ ପଶି ଯାଇଥିବା ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଘଟଣା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *