ମନୋରଞ୍ଜନ

ମୁଁ କେବଳ ଅଭିନେତ୍ରୀ ନୁହେଁ, ଦାୟିତ୍ବବାନ୍ ନାଗରିକ

ମୁମ୍ବାଇ: କିଛି ମାସ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିଲା। ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥିଲେ କେନ୍ଦ୍ର ସରକାର। ତାଙ୍କୁ ଏହି ସୁରକ୍ଷା ମିଳିବା ପରେ ଅଭିନେତ୍ରୀଙ୍କୁ ସମାଲୋଚନା କରିଥିଲେ ପୂର୍ବ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟନ୍ ସ୍ବାମୀ। ଏବେ ତାଙ୍କୁ ଜବାବ ଦେଇଛନ୍ତି କଙ୍ଗନା।ଜଣେ ଟ୍ବିଟର ବ୍ୟବହାରକାରୀ ଏକ ପାର୍ଟିରେ କଙ୍ଗନା ରାଣାୱତ ନାଚୁଥିବାର ଏକ ଭିଡିଓ ସେୟାର କରିଥିଲେ। ଭିଡିଓ ସହ ସେ ଲେଖିଥିଲେ, ‘‘ଅଭିନେତ୍ରୀ ଏବେ କେଉଁଠାରେ ଅଛନ୍ତି, ତାଙ୍କ ବିଷୟରେ କୌଣସି ଖବର ଶୁଣିବାକୁ ମିଳୁନାହିଁ। ୨୦୧୪ ପରେ ସେ ଏବେ ବି ଭାରତର ସ୍ବାଧୀନତା ପାଳନ କରୁଛନ୍ତି କି?’’ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏହି ଟୁଇଟରେ ସୁବ୍ରମଣ୍ୟନ୍ ସ୍ବାମୀ ପ୍ରତିକ୍ରିୟା ଦେଇ ଲେଖିଥିଲେ ଯେ, “ଏସପିଜିକୁ ଏହା ଜଣା। ସେମାନେ ତାଙ୍କର ଗତିବିଧିକୁ ଟିପି ରଖୁଛନ୍ତି। ବଲିଉଡ ତାରକାଙ୍କ ଉପରେ ନଜର ରଖିବା ଏସପିଜିର କାମ ହେବା ଉଚିତ ନୁହେଁ। ତେଣୁ ତାଙ୍କୁ ସ୍ବତନ୍ତ୍ର ଭାବରେ ଉଚ୍ଚସ୍ତରର ସୁରକ୍ଷା ଦିଆଯାଇଛି। ”ଏବେ ସୁବ୍ରମଣ୍ୟନ୍ ସ୍ବାମୀଙ୍କ ଏଭଳି ଟ୍ବିଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା। ସେ ଲେଖିଛନ୍ତି ଯେ, ମୁଁ କେବଳ ଜଣେ ଅଭିନେତ୍ରୀ ନୁହେଁ, ଦାୟିତ୍ବବାନ୍ ନାଗରିକ ମଧ୍ୟ। ମହାରାଷ୍ଟ୍ରରେ ମୁଁ ଏକ ରାଜନୈତିକ ଦଳର ଟାର୍ଗେଟକୁ ଆସିଥିଲି। ମୋର ବଳି ଦେଇ ସେମାନେ ସରକାର ଗଠନ କରିଥାନ୍ତେ। ମୁଁ ଟୁକଡେ ଗ୍ୟାଙ୍ଗ ବିଷୟରେ ମଧ୍ୟ କହିଥିଲି ଏବଂ ଖଲିସ୍ତାନୀମାନଙ୍କୁ ଦୃଢ଼ ନିନ୍ଦା କରିଥିଲି। ମୁଁ ଜଣେ ଚଳଚ୍ଚିତ୍ର ନିର୍ମାତା, ଲେଖକ ଏବଂ ପ୍ରଯୋଜିକା। ମୋର ପରବର୍ତ୍ତୀ ଫିଲ୍ମ ‘ଏମରଜେନ୍ସି’ରେ ଅପରେସନ୍ ‘ବ୍ଲୁଷ୍ଟାର୍’ ବିଷୟରେ ଦର୍ଶକ ଦେଖିବେ। ଏସବୁ ପ‌ରେ ମୋ ଜୀବନ ସଂପୂର୍ଣ୍ଣ ବିପଦରେ ଥିବାରୁ ମୁଁ ସୁରକ୍ଷା ବୃଦ୍ଧି କରିବାକୁ ଅନୁରୋଧ କରିଥିଲି। ଏଥିରେ କିଛି ଭୁଲ ଅଛି କି ସାର୍? ବୋଲି ସେ ଟ୍ବିଟ କରି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *