ଦେଶ- ବିଦେଶ

ଆମେ ସମସ୍ତଙ୍କୁ ସୁରକ୍ଷା ଦେଇପାରିବୁ ନାହିଁ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ହିଂସା ତୀବ୍ର ରୂପ ନେଇଛି। ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ଦ୍ବାରା ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଉପୁଜିଥିବା ହିଂସା ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି। ଉକ୍ତ ଘଟଣାରେ ୨ ‌ହୋମ୍‌ ଗାର୍ଡ, ଜଣେ ଇମାମ୍‌ଙ୍କ ସମେତ ମୋଟ୍‌ ୬ଜଣଙ୍କ ମୃତ୍ୟୁ ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ସାମ୍ବାଦିକ ସମ୍ମିଳନୀ କରି ନୁହର ସ୍ଥିତି ବିଷୟରେ ଜଣାଇଛନ୍ତି। ଏହା ସହ ସେ, ଆମେ ସମସ୍ତଙ୍କୁ ବଞ୍ଚାଇ ପାରିବୁ ନାହିଁ ବୋଲି କହିଥିବା ଜଣାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ସେ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ ପୁଲିସ କିମ୍ବା ସେନା ସମସ୍ତଙ୍କ ଜୀବନ ବଞ୍ଚାଇବାର ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ। ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କଲେ ସ୍ଥିତି ସୁଧୁରିବ। ଏଭଳି ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀ ମୃତ  ୨ ‌ହୋମ୍‌ ଗାର୍ଡଙ୍କ ପରିବାରୁ ୫୭ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।

ଏହା ସହ ହିଂସା ସହ ଜଡ଼ିତ ଥିବା ୧୧୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯୦ଜଣଙ୍କୁ ଅଟକ ରଖାଯାଇଛି। ନୁହ ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଧାରା ୧୪୪ ଜାରି ହୋଇଛି। ଉକ୍ତ ଘଟଣା ପରେ ହରିୟାଣାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ହାଇ ଆଲର୍ଟ ଜାରି ହୋଇଛି। ଏହି ହିଂସାରେ ଉଭୟ ପଟୁ ଦଙ୍ଗାକାରୀମାନେ ଗୁଳି ଚାଳନା କରିବା ଘଟଣା ଚିନ୍ତା ବଢ଼ାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *