ସାର୍ବଜନୀନ ସର୍ବନିମ୍ନ ଆୟର ପ୍ରାସଙ୍ଗିକତା
ଗତ ଜୁନ୍ ୧୬ର ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ପ୍ରକାଶିତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ବରନ୍ଙ୍କ ଏକ ବକ୍ତବ୍ୟ ହେଉଛି ଯେ ଦେଶରେ ‘ୟୁନିଭର୍ସାଲ୍ ବେସିକ୍ ଇନ୍କମ୍’ (ୟୁବିଆଇ) ବା ସାର୍ବଜନୀନ ସର୍ବନିମ୍ନ ଆୟ ଯୋଜନା ଲାଗୁ କରିବାର ଭାରତ ସରକାରଙ୍କର କୌଣସି ଯୋଜନା ନାହିଁ। ଉକ୍ତ ପ୍ରସ୍ତାବଟି ପ୍ରାକ୍ତନ ସିଇଏ ଅରବିନ୍ଦ ସୁବ୍ରମଣ୍ୟନ୍ଙ୍କ ଚିନ୍ତାଧାରାର ପରିପନ୍ଥୀ, ଯିଏ ୟୁବିଆଇକୁ ଦେଶରେ ଏକ ନୀତିଗତ ଉପକରଣ ଭାବେ ପ୍ରଚଳନ କରିବାର ସମ୍ଭାବନାକୁ ଖୋଜି ବାହାର କରିଥିଲେ ଏବଂ ସେଥିପାଇଁ ୨୦୧୬-୧୭ ଅର୍ଥନୈତିକ ସର୍ବେକ୍ଷଣରେ ସେ ଏକ ଅଲଗା ଉପଶାଖା ପ୍ରସ୍ତୁତ କରିଥିଲେ। ୟୁବିଆଇକୁ ନେଇ ପରୀକ୍ଷାନିରୀକ୍ଷା ପଛର ରାଜନୈତିକ ଉଦ୍ଦେଶ୍ୟ ଥିଲା ତତ୍କାଳୀନ କୃଷି ସମସ୍ୟାର ମୁକାବିଲା କରିବା। ତେବେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଓ ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ଥିବା ଅପାରଗ ତଥା ବିକୃତ ସବସିଡି ଯୋଜନା ୟୁବିଆଇକୁ ଦେଶରେ କାର୍ଯ୍ୟକାରୀ କରାଇବା ସପକ୍ଷରେ ଅର୍ଥନୈତିକ ଯୁକ୍ତି ପାଇଁ ବାଟ କଢ଼ାଇଛି।
ଅର୍ଥନୀତିଜ୍ଞମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥା’ନ୍ତି ବୋଲି ଏକ ପ୍ରବାଦ ରହିଛି। ସେ ଦୃଷ୍ଟିରୁ ୟୁବିଆଇକୁ ନେଇ ସିଇଏ ଓ ପ୍ରାକ୍ତନ ସିଇଏଙ୍କ ମଧ୍ୟରେ ମତପାର୍ଥକ୍ୟ ସ୍ବାଭାବିକ କଥା। ତେବେ ୨୦୧୬-୧୭ରେ ଯେତେବେଳେ ୟୁବିଆଇ କିମ୍ବା କ୍ବାସି-ୟୁଆର୍ବିଆଇର ପ୍ରଚଳନ କଥା ବିଚାର କରାଯାଉଥିଲା, ସେତେବେଳର ଆର୍ଥିକ ଦୃଶ୍ୟପଟ ଠାରୁ ଆଜିର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ନାହିଁ। ଏହା ନିଃସନ୍ଦେହ ଯେ, କୋଭିଡ୍ ମହାମାରୀ ପରେ ଜିଡିପି ଅଭିବୃଦ୍ଧି ହାରରେ ଅନେକ ସୁଧାର ଆସିଛି। ତଥାପି ବର୍ତ୍ତମାନର ଅଭିବୃଦ୍ଧି ହାର ମହାମାରୀ ପୂର୍ବରୁ ହାସଲ ହୋଇଥିବା ଅଭିବୃଦ୍ଧି ହାର ଠାରୁ କମ୍ ରହିଛି। ପୁଞ୍ଜିନିବେଶ ବଜାରରେ ସନ୍ଦେହର ବାତାବରଣ ଜାରି ରହିଛି। ତେଣୁ ନିକଟ ଭବିଷ୍ୟତରେ ୟୁବିଆଇ ନୀତିଗତ ବିକଳ୍ପ ଭାବେ ଅନାବଶ୍ୟକ ବୋଲି ବର୍ତ୍ତମାନର ସିଇଏ ପ୍ରଦାନ କରିଥିବା ମତ ଅପରିପକ୍ବ ମନେ ହୁଏ।
କହିବା ଅନାବଶ୍ୟକ ଯେ, ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି ସର୍ବନିମ୍ନ ଆୟର ନିଶ୍ଚିତତା ପ୍ରଦାନ ପୂର୍ବକ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ୟୁବିଆଇକୁ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନର ବାହକ ଭାବେ ବିଚାର କରାଯାଇପାରେ। ଗରିବମାନେ ସେମାନଙ୍କ ଜୀବନଧାରଣ ସହ ଜଡ଼ିତ ଅର୍ଥନୈତିକ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଧରିନେଇ ବର୍ତ୍ତମାନର ଜନକଲ୍ୟାଣ ବ୍ୟବସ୍ଥା ସେମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ୟୁବିଆଇ ନାଗରିକମାନଙ୍କୁ ରାଷ୍ଟ୍ର ସହ ଦାତା-ଗ୍ରହୀତା ସମ୍ପର୍କରୁ ମୁକ୍ତ କରିବ।ବର୍ତ୍ତମାନର ସିଇଏଙ୍କ କହିବାନୁଯାୟୀ, ଏ କଥା ନିଃସନ୍ଦେହ ଯେ, ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଆର୍ଥିକ ଅଭିବୃଦ୍ଧି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଅଭିବୃଦ୍ଧିର ଲାଭକୁ ଅଧିକ ନିଯୁକ୍ତି ସୃଷ୍ଟି ଜରିଆରେ ବ୍ୟାପକ ଜନସାଧାରଣ ଓ ବିଶେଷ କରି ଗରିବ ଲୋକମାନଙ୍କ ମଧ୍ୟରେ ଭାଗ ନ କରିବା ପର୍ଯ୍ୟନ୍ତ ଅଭିବୃଦ୍ଧି ଆବଶ୍ୟକ କାର୍ଯ୍ୟ କରିପାରିବ ନାହିଁ। ଭାରତରେ ମୁଖ୍ୟତଃ ନିଯୁକ୍ତି ସୁଯୋଗ ଅଭାବର ପରିଣତି ହେଉଛି ଦାରିଦ୍ର୍ୟ। ଗତ ଏକ ଦଶନ୍ଧି ହେଲା ଦେଶର ସଂଗଠିତ କ୍ଷେତ୍ରରେ ନୂତନ ନିଯୁକ୍ତିରେ ହ୍ରାସ ଘଟି ଚାଲିଛି। ଏହା ବ୍ୟତୀତ, ବିଗତ ବର୍ଷମାନଙ୍କରେ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପ୍ରକ୍ରିୟା ମନ୍ଥର ହୋଇଯିବା ଚିନ୍ତାର କାରଣ ହୋଇଛି। ଏହି ସବୁ ସ୍ଥିତି ଦେଶରେ ସାମାଜିକ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମ୍ପ୍ରସାରଣ ଲାଗି ଆହ୍ବାନ କରୁଛି।
ୟୁବିଆଇ ଲାଗୁ କରିବା ବିପକ୍ଷରେ ଅନେକ ଯୁକ୍ତି କରନ୍ତି ଯେ, ଏହା ଲୋକଙ୍କୁ କାମ କରିବାରୁ ନିରୁତ୍ସାହିତ କରିବ। ଏଥି ସହିତ ଏହା ଉପଭୋକ୍ତାମାନଙ୍କୁ ଅଯଥାରେ ଅଧିକ ଖର୍ଚ୍ଚ କରିବା ପାଇଁ ଉତ୍ପ୍ରେରିତ କରିବ ବୋଲି ଅନେକଙ୍କର ମତ। ମାତ୍ର ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ଅନୁଷ୍ଠିତ ୟୁବିଆଇର ଦୁଇଟି ପ୍ରମୁଖ ଅନୁଧ୍ୟାନରୁ ଭିନ୍ନ ତଥ୍ୟ ମିଳିଛି। ଏହାଦ୍ବାରା ହିତାଧିକାରୀ ପରିବାର ନା କାମ କରିବା ପାଇଁ ବୀତସ୍ପୃହ ହୋଇଛନ୍ତି ନା ସେମାନେ ଉତ୍ତେଜିତ ହୋଇ ଅଧିକ ଖର୍ଚ୍ଚ କରି ପକାଇଛନ୍ତି! ବରଂ ୨୦୧୦-୧୧ ଆର୍ଥିକ ବର୍ଷରେ ୟୁବିଆଇ ଅଧୀନ ନଗଦ ରାଶି ହସ୍ତାନ୍ତରଣ ସୁବିଧା ଲାଭ କରିଥିବା ପରିବାରଗୁଡ଼ିକର ଜୀବନଧାରଣର ମାନରେ ଉନ୍ନତି ପରିଲକ୍ଷିତ ହୋଇଛି। ଏ ପରିପ୍ରେକ୍ଷୀରେ ଆମେରିକାରେ କାର୍ଯ୍ୟରତ ଭାରତୀୟ ଅର୍ଥନୀତିଜ୍ଞ ପ୍ରଣବ ବର୍ଦ୍ଧନ (୨୦୧୧) ଲେଖିଛନ୍ତି ଯେ, ଭାରତରେ ସାମାଜିକ କଲ୍ୟାଣ ସୁରକ୍ଷାର ପରିବର୍ଦ୍ଧନ ପାଇଁ ୟୁବିଆଇ ହେଉଛି ଏକ ସ୍ବଚ୍ଛତମ ତଥା ସର୍ବନିମ୍ନ ପ୍ରୋତ୍ସାହନ-ହ୍ରାସକାରୀ ଯୋଜନା। ଭାରତ ବାବଦରେ ଅନୁଧ୍ୟାନ କରି ବ୍ରିଟିସ ଶ୍ରମ ଅର୍ଥନୀତିଜ୍ଞ ଗାୟ ଷ୍ଟାଣ୍ଡିଂ ଓ ପ୍ରଣବ ବର୍ଦ୍ଧନ ଭାରତରେ ଜାରି ରହିଥିବା ଅନ୍ୟାନ୍ୟ ସମାଜ କଲ୍ୟାଣ ଯୋଜନାର ବିକଳ୍ପ ଭାବେ ୟୁବିଆଇର ପ୍ରୟୋଗକୁ ଦୃଢ଼ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ସି. ରଙ୍ଗରାଜନ ଓ ମୁମ୍ବାଇ ସ୍ଥିତ ଇନ୍ଦିରା ଗାନ୍ଧୀ ଉନ୍ନୟନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଏସ. ମହେନ୍ଦ୍ର ଦେବ ମଧ୍ୟ ସେମାନଙ୍କ ଲେଖା (୨୦୨୦)ରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ ସର୍ବନିମ୍ନ ଆୟ ସହାୟତା ଯୋଗାଇ ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।
ଆଉ ଏକ ଯୁକ୍ତି ହେଉଛି, ୟୁବିଆଇ ଲାଗୁ କରାଇବା ଦ୍ବାରା ଦେଶ ଉପରେ ଭୀଷଣ ଆର୍ଥିକ ବୋଝ ପଡ଼ିବ। ମାତ୍ର ଏ ପ୍ରକାର ଧାରଣାକୁ ପ୍ରଣବ ବର୍ଦ୍ଧନ ଓ ଅନ୍ୟମାନଙ୍କ ଅନୁଧ୍ୟାନ ମିଛ ପ୍ରମାଣିତ କରିଛି। ସେମାନଙ୍କର ମତ ହେଲା, ଜାରି ରହିଥିବା ଅନ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ବାଟମାରଣା ଓ ପ୍ରାଶାସନିକ ଖର୍ଚ୍ଚଗୁଡ଼ିକୁ ବିଚାର କଲେ ୟୁବିଆଇ ନିଶ୍ଚିତ ଭାବରେ ଏକ ଉତ୍ତମ ବିକଳ୍ପ। ଏ ଯୋଜନାର ଖର୍ଚ୍ଚ ଜିଡିପିର ୪.୯ ପ୍ରତିଶତ ବୋଲି ୨୦୧୬-୧୭ ଅର୍ଥନୈତିକ ସର୍ବେକ୍ଷଣରେ ଆକଳନ କରାଯାଇଥିଲା।ସାମଗ୍ରୀ ହସ୍ତାନ୍ତରଣ ଯୋଜନା ଅପେକ୍ଷା ନଗଦ ରାଶି ହସ୍ତାନ୍ତରଣ ଦ୍ବାରା ଅଧିକ ଲାଭ ମିଳୁଛି ନା ନାହିଁ ଏବଂ ଅଧିକ ଦକ୍ଷତାର ସହ ଦାରିଦ୍ର୍ୟ ଦୂରୀକରଣ ହୋଇପାରୁଛି ନା ନାହିଁ, ସେ ନେଇ ବାରମ୍ବାର ହେଉଥିବା ବିତର୍କରୁ ୟୁବିଆଇ ପ୍ରତି ଭାରତରେ ଆଗ୍ରହ ଦେଖାଦେଇଛି। କିଛି ବର୍ଷ ହେଲା ଜାତୀୟ ବାୟୋମେଟ୍ରିକ ଡାଟାବେସ୍ ସହ ଜଡ଼ିତ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣର ଦ୍ରୁତ ସମ୍ପ୍ରସାରଣ ସଫଳତାର ସହ କାର୍ଯ୍ୟ କରୁଛି। ଏ ଭଳି ସ୍ଥିତିରେ ଜାରି ରହିଥିବା ଅନ୍ୟାନ୍ୟ ଯୋଜନା ତୁଳନାରେ ୟୁବିଆଇ ଏକ ସାମାଜିକ ସୁରକ୍ଷା ଜାଲ ରୂପେ ଅଧିକ ପସନ୍ଦଯୋଗ୍ୟ ମନେ ହୁଏ। ହେଲେ ୟୁବିଆଇ ଲାଗୁ କରିବା ଲାଗି ଏକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଦରକାର।