ମୁଖ୍ୟ ଖବର

୬ରୁ ପୁଣି ବର୍ଷା : ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ଏବେ ନାହିଁ। ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ଅମୃତସର, ଦିଲ୍ଲୀ, ହମିରପୁର ହୋଇ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ମଧ୍ୟପ୍ରଦେଶ, ରାଞ୍ଚି ଓ ଦୀଘା ମଧ୍ୟ ଦେଇ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଲାଗି ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ରହିବ। ୬ ତାରିଖରୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୬ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏଥିସହ ୭ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଧା ଓ ପୁରୀ ଜିଲ୍ଲାରେ ଅର୍ଥାତ ପୂରା ଉପକୂଳ ଓଡ଼ିଶା ବର୍ଷା ସମ୍ଭାବନାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୮ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହୁଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ

Leave a Reply

Your email address will not be published. Required fields are marked *