ଦେଶ- ବିଦେଶ

୧ ଏକର୍‌ ଜମିର ଦାମ୍‌ ୧୦୦ କୋଟି ଟଙ୍କା

ହାଇଦ୍ରାବାଦ: ଗୁରୁବାର ଦିନ ହାଇଦ୍ରାବାଦ ନିକଟରେ ଖଣ୍ଡେ ପ୍ଲଟ୍‌ ଏକର୍‌ପିଛା ୧୦୦ କୋଟି ଟଙ୍କାରେ ବିକ୍ରି ହେବା ପରେ ତେଲେଙ୍ଗାନା ରାଜ୍ୟ ଜମି ମୂଲ୍ୟରେ ନୂଆ ରେକର୍ଡ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ରାଜପୁଷ୍ପା ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ରିୟଲ୍‌ ଇଷ୍ଟେଟ୍‌ ସଂସ୍ଥା କୋକାପେଟ୍‌ ଅନ୍ତର୍ଗତ ନିଓପଲିସ୍‌ ଫେଜ୍‌-୨ରେ ଥିବା ୩.୬ ଏକର୍‌ବିଶିଷ୍ଟ ପ୍ଲଟ୍‌କୁ ୩୬୨ କୋଟି ଟଙ୍କାରେ ନିଲାମ ଧରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୧ ଜୁଲାଇ ମାସରେ ଫେଜ୍‌-୧ରେ ଥିବା ଖଣ୍ଡେ ପ୍ଲଟ୍‌ ଏକର୍‌ପିଛା ୬୦ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ପୂର୍ବରୁ ଜମି ୪୦ କୋଟି ଟଙ୍କାରେ ବିକ୍ରୟ ହୋଇଥିଲା। ୬୦ କୋଟି ଟଙ୍କା ପରେ ଜମି ବା ପ୍ଲଟ୍‌ ଏକର୍‌ପିଛା ୭୦ କୋଟି ଟଙ୍କାରେ ବିକ୍ରୟ କରାଯାଇଥିବା କଥା ମଧ୍ୟ ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଥିଲା।

ଗୁରୁବାର ଦିନ ହୋଇଥିବା ଜମି ନିଲାମ ପରିଚାଳନା କରିଥିଲା ‘ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’। ୭ଟି ପ୍ଲଟ୍‌ ନିଲାମ ଡାକି ‘ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ ସମୁଦାୟ ୩,୩୨୦ କୋଟି ଟଙ୍କା ଉପାର୍ଜନ କରିଛି। ‘ନିଓପଲିସ୍‌ ଲେଆଉଟ୍‌’ରେ ନିଲାମ ହୋଇଥିବା ଏହି ଜମିର ସମୁଦାୟ ପରିମାଣ ହେଉଛି ୪୫.୩୩ ଏକର୍‌।

‘ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ର ସ୍ପେସାଲ୍‌ ଚିଫ୍‌ ସେକ୍ରେଟେରି ଅରବିନ୍ଦ କୁମାର କହିଛନ୍ତି, ଏହି ନିଲାମରୁ ସରକାର ୨୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଆଶା କରିଥିଲେ। କିନ୍ତୁ, ରେକର୍ଡ ପରିମାଣର ୩୩୧୯ କୋଟି ଟଙ୍କା ସଂଗ୍ରହ ହେଲା।

Leave a Reply

Your email address will not be published. Required fields are marked *