ରାଜନୀତି

ରାହୁଲଙ୍କୁ ଡରିଗଲେ ସରକାର: ସଞ୍ଜୟ ରାଉତ

ନୂଆଦିଲ୍ଲୀ, : ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ବର୍ତ୍ତମାନ ତାଙ୍କର ସଂସଦର ସଦସ୍ୟତା ନେଇ ରାଜନୀତି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଟାର୍ଗେଟ୍‌ କରିଛନ୍ତି।
ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ସରକାର ଭୟ କରୁଛନ୍ତି। ସୁରତ କୋର୍ଟର ନିଷ୍ପତ୍ତି ପରେ ତୁରନ୍ତ ବାଚସ୍ପତି ତାଙ୍କୁ ନିଲମ୍ବନ କରି ଘରୁ ବାହାର କରିଦେଲେ। ସୁପ୍ରିମକୋର୍ଟ ସେହି ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଆଜି ସେହି ନିଷ୍ପତ୍ତି ହେବାର ତିନି ଦିନ ବିତିଗଲାଣି କିନ୍ତୁ ବାଚସ୍ପତି କହୁଛନ୍ତି ଯେ ତାଙ୍କୁ ମାମଲା ଉପରେ ଆହୁରି ଅଧ୍ୟୟନ କରିବାକୁ ପଡ଼ିବ। ରାହୁଲଙ୍କ ସଦସ୍ୟତା ରଦ୍ଦ କରିବା ପୂର୍ବରୁ ଆପଣ ଅଧ୍ୟୟନ କରିଥିଲେ କି? ଆପଣ ସେହି ବିଷୟ ଉପରେ ପିଏଚ୍‌ଡି କରିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ,ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ ଆବେଦନ ବିଚାର ନ ହେବା ପର୍ଯ୍ୟନ୍ତ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ କହିଛି, ଏହା ହେଉଛି ଘୃଣା ବିରୋଧରେ ପ୍ରେମର ବିଜୟ। ସତ୍ୟମେବ ଜୟତେ-ଜୟ ହିନ୍ଦ। ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *