ମୁଖ୍ୟ ଖବର

ମଣିପୁର ହିଂସା : ମହିଳା ନ୍ୟାୟିକ କମିଟି ଗଠନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସାରେ କ୍ଷତିଗ୍ରସ୍ତଙ୍କ ରିଲିଫ ଓ ଥଇଥାନ ଭଳି ମଣିପୁର ହିଂସାର ତଦନ୍ତ ବ୍ୟତୀତ ଅନ୍ୟାନ୍ୟ ମାନବିକ ଦିଗ ଉପରେ ନଜର ରଖିବା ପାଇଁ ତିନି ଜଣ ପୂର୍ବତନ ମହିଳା ହାଇକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଶାଳିନୀ ପି ଯୋଶୀ ଏବଂ ଜଷ୍ଟିସ ଆଶା ମେନନ୍ ରହିବେ।

ଥଇଥାନ, ରିଲିଫ୍‌, କ୍ଷତିପୂରଣ ସମେତ ତଦନ୍ତ ବ୍ୟତୀତ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରିବା ପାଇଁ ଏହା ଗଠନ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଇନର ଶାସନ ଉପରେ ବିଶ୍ୱାସ ଫେରାଇ ଆଣିବା ଏବଂ ସାଧାରଣରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହି ଆଦେଶ ଦିଆଯାଇଛି ବୋଲି କୋର୍ଟ କହିଛନ୍ତି।

ତଦନ୍ତ ତଦାରଖ ପାଇଁ ପୂର୍ବତନ ଆଇପିଏସ୍‌ ଅଧିକାରୀ ଦତ୍ତ ପଦସଲଗିକରଙ୍କୁ ନିଯୁକ୍ତ କରି କୋର୍ଟକୁ ରିପୋର୍ଟ ଦେବାକୁ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସିବିଆଇ ତଦନ୍ତ ତଦାରଖ ପାଇଁ ଅନ୍ୟ ରାଜ୍ୟରୁ ଡିଏସ୍‌ପି ପାହ୍ୟାତଳେ ନଥିବା ୫ ଜଣ ଅଧିକାରୀଙ୍କୁ ଆଣିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସରକାରଙ୍କ ଦ୍ୱାରା ଗଠିତ ୪୨ଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ ଆଇଟି)କୁ ମଣିପୁର ବାହାରୁ ଆସିଥିବା ୬ଜଣ ଡିଆଇଜି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ରଖିବାକୁ ନିର୍ଦ୍ଦେଶ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଏସଆଇଟିରେ ମଣିପୁର ବାହାରୁ ଜଣେ ଇନ୍‌ସପେକ୍ଟର ରହିବା ଉଚିତ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *