ମୁଖ୍ୟ ଖବର

ଏଏସ୍‌ଓ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ | ଏହି ମାମଲାର ବିଚାର ପାଇଁ ଦୁଇ ଜଣିଆ ଖଣ୍ଡପୀଠରେ ଏଏସଓ ମାମଲାକୁ ଗ୍ରହଣ କରିଥିବାବେଳେ ଆସନ୍ତା ଶୁଣାଣି ସେପ୍ଟେମ୍ବର ୨୧ କୁ ଧାର୍ଯ୍ୟ କରାଯାଇଛି | ମେ ୧୯ ଏଏସଓ ପରୀକ୍ଷା ନେଇ ହାଇକୋର୍ଟ ଦେଇଥିବା ରାୟର ପୁନବିଚାର ପାଇଁ ଦୁଇ ଜଣିଆ ଖଣ୍ଡପୀଠରେ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ | ଆଉ ଏହାପରେ ହାଇକୋର୍ଟ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି | ମାମଲାର ବିବରଣୀରୁ ପ୍ରକାଶ ଯେ ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ମେ ୧୯ରେ ରାୟ ପ୍ରକାଶ କରିଥିଲେ।ଏଏସଓ ନିଯୁକ୍ତି ପରୀକ୍ଷାରେ ଓପିଏସସି ତରଫରୁ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇ‌େକାର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨ ମାସ ବିତି ଯାଇଥିଲେ ମଧ୍ୟ ଓପିଏସସି ସାନି ମେଧା ତାଲିକା ପ୍ରକାଶ କରି ନଥିଲା। ଏହାପରେ ଆବେଦନକାରୀଙ୍କ ତରଫରୁ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା। ଏହାପରେ ଅଗଷ୍ଟ ୪ରେ ମେ ୧୯ର ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ | ତେବେ ଆଜି ହାଇକୋର୍ଟ ପୁଣି ଏଏସଓ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି |

Leave a Reply

Your email address will not be published. Required fields are marked *