ମୁଖ୍ୟ ଖବର

ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ: ଅମିତ ଶାହ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଲୋକସଭାରେ ସରଗରମ ବିତର୍କ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନାସ୍ଥା ଆଲୋଚନାରେ ପ୍ରାୟ ୨ ଘଣ୍ଟା ଧରି ଜବାବ ରଖି ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଦ୍ବନ୍ଦ୍ବରେ ରଖିବାପାଇଁ ଅନାସ୍ଥା ଅଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକଙ୍କର ଦୃଢ଼ ବିଶ୍ବାସ ରହିଛି। ପ୍ରଧାନମନ୍ତ୍ରୀ ହେଉଛନ୍ତି ସ୍ବାଧୀନତା ପରେ ସବୁଠାରୁ କଠିନ ପରିଶ୍ରମୀ ପ୍ରଧାନମନ୍ତ୍ରୀ। ବିଶ୍ବରେ ଅନେକ ସର୍ଭେ ମଧ୍ୟ ଏହି ସମାନ କଥା କହୁଛି। ମୋଦୀ କେବେ ବି ଛୁଟି ନେଇନାହାନ୍ତି। ସେ ଦିନରେ ୧୭ ଘଣ୍ଟା‌ କାମ କରୁଛନ୍ତି। ମଣିପୁରରେ ହିଂସା ହୋଇଛି ବୋଲି ଶାହ ସ୍ବୀକାର କରିଛନ୍ତି। ଶାହ କହିଛନ୍ତି, ମଣିପୁର ହିଂସା‌ ପାଇଁ ତାଙ୍କ ସରକାର ମର୍ମାହତ। ଏହି ହିଂସା ଲଜ୍ଜାଜନକ, କିନ୍ତୁ ହିଂସାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଲଜ୍ଜାଜନକ।
ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ରାଜି ନଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଶାହ ଖଣ୍ଡନ କରିଛନ୍ତି। ଶାହ କହିଛନ୍ତି, ବିରୋଧୀଙ୍କର ଏହି ଅଭିଯୋଗ ଭୁଲ୍‌। ମୁଁ ଏଥିପାଇଁ ପ୍ରଥମ ଦିନରୁ ହିଁ ପ୍ରସ୍ତୁତ ଥିଲି। କିନ୍ତୁ ସେମାନେ କେବଳ ବିରୋଧ କରିବାକୁ ଚାହିଲେ। ମଣିପୁର ହିଂସା ପାଇଁ ଶାହ ମଣିପୁର ହାଇକୋର୍ଟଙ୍କ ରାୟକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏପ୍ରିଲରେ ହାଇକୋର୍ଟଙ୍କ ରାୟ ସ୍ଥିତିକୁ ଅଧିକ ଜଟିଳ କରିଦେଲା। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କୁ ବହିଷ୍କାର ସଂକ୍ରାନ୍ତରେ ଶାହ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଯେତେବେଳେ ସହଯୋଗ କରିବେନି ସେତେବେଳେ ତାଙ୍କୁ ବଦଳାଇବାର ଆବଶ୍ୟକତା ପଡ଼େ। କିନ୍ତୁ ମଣିପୁର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

ଶାହ କହିଛନ୍ତି, ମଣିପୁର ହିଂସା ଏବେ ଥମୁଛି। ତେଣୁ ନିଆଁ‌ରେ ଘିଅ ନଢ଼ାଳିବାପାଇଁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି। କେବଳ କଥାବାର୍ତ୍ତା ମାଧ୍ୟମରେ ହିଁ ମଣିପୁର ସମସ୍ୟାର ସମାଧାନ ହୋଇପାରିବ। ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରି ଶାହ କହିଲେ, ଆମେ ଦେଖିଛୁ ଯେ ଜଣେ ବିରୋଧୀ ନେତାଙ୍କୁ ୧୩ ଥର ଲଞ୍ଚ୍‌ କରାଯାଇଛି ଏବଂ ପ୍ରତିଟି ଉଦ୍ୟମ ବିଫଳ ହୋଇଛନ୍ତି। କଳାବତୀ ପ୍ରସଙ୍ଗରେ ରାହୁଲଙ୍କୁ ଘେରି ଶାହ କହିଛନ୍ତି, ୨୦୦୮‌ରେ କଂଗ୍ରେସ କଳାବତୀ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର କରିଥିଲା। ୨୦୦୫ରେ କଳାବତୀଙ୍କ କୃଷକ ସ୍ବାମୀ ଋଣ ସୁଝିନପାରି ଆତ୍ମହତ୍ୟା କରିଥିଲେ। କଳାବତୀ ଅନ୍ଧାରରେ ତାଙ୍କ ଗାଁରେ ଉତ୍କଟ ଦାରିଦ୍ରୢ ମଧ୍ୟରେ ରହୁଥିଲେ। ରାହୁଲ କଳାବତୀଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କ ସହ ଖାଇଥିଲେ। ଏହାପରେ‌ ସେ କଳାବତୀଙ୍କ କଷ୍ଟଦାୟକ ଜୀବନ ଏବଂ ଦାରିଦ୍ର୍ୟ କଥା ଗୃହରେ କହିଥିଲେ। ସେତେବେଳେ କଳାବତୀ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ହୋଇଥିଲା। ଏହାପରେ ସେମାନଙ୍କ ସରକାର ୬ ବର୍ଷ କ୍ଷମତାରେ ରହିଛି। ତେବେ ମୁଁ ପଚାରିବାକୁ ଚାହୁଛି, କଳାବତୀଙ୍କ ପାଇଁ ଆପଣମାନେ କ’ଣ କରିଛନ୍ତି ? ମୋଦୀ ସରକାର କଳାବତୀଙ୍କୁ ଘର, ବିଦ୍ୟୁତ୍‌, ଗ୍ୟାସ୍‌ , ରାସନ ଏବଂ ଶୌଚାଳୟ ସବୁ କିଛି ଦେଇଛନ୍ତି।

ବିରୋଧୀ ଇଣ୍ଡିଆ ମେଣ୍ଟର ନାଁକୁ କଟାକ୍ଷ କରି ଶାହ କହିଛନ୍ତି, ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଲୁଚାଇବାପାଇଁ ୟୁପିଏ ନାଁ ବଦଳାଯାଇଛି। ସେମାନଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା। ନାଁ ବଦଳାଇବା ହିଁ ଏକମାତ୍ର ବିକଳ୍ପ ଥିଲା। ଶାହ କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଏନ୍‌ଡିଏ ୫୦ରୁ ଅଧିକ ବଡ଼ ନିଷ୍ପତ୍ତି ନେଇଛି । ୩୦ ବର୍ଷ ଧରି ଦେଶ ବଂଶବାଦ ରାଜନୀତି, ଦୁର୍ନୀତି ଏବଂ ଜାତିବାଦରେ ପୀଡ଼ିତ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏସବୁକୁ ଶେଷ କରି ଦେଶକୁ କଲ୍ୟାଣକାରୀ ରାଜନୀତି ପ୍ରଦାନ କରିଛନ୍ତି। ଶାହ କହିଛନ୍ତି, ଲୋକମାନେ ଦେଖୁଛନ୍ତି ଏବଂ ସେମାନେ ସବୁକିଛି ଜାଣିଛନ୍ତି। ଆଜି ବିତର୍କରେ ଅମିତ ଶାହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ଚରିତ୍ରରେ ହିଁ ଦୁର୍ନୀତି ରହିଛି ଏବଂ ଏହି ଦଳ ଦେଶର ବିକାଶକୁ କେବେ ପ୍ରାଥମିକତା ଦିଏନାହିଁ । ୧୯୯୯ରେ ବାଜପେୟୀ ସରକାରଙ୍କ ଆସ୍ଥା ଭୋଟ୍‌ କଥା ଉଲ୍ଲେଖ କରି ଶାହ କହିଥିଲେ ଯେ ଲୋକସଭାରୁ ଇସ୍ତଫା ନଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ଗିରିଧର ଗମାଙ୍ଗଙ୍କ ଗୋଟିଏ ଭୋଟ୍‌ରେ ଅଟଳଜୀଙ୍କ ସରକାର ଭାଙ୍ଗି ଯାଇଥିଲା। ଅନ୍ୟପକ୍ଷରେ ମନମୋହନ ସିଂହ ୨୦୦୮ରେ ବହୁମତ ନଥାଇ ଆସ୍ଥା ପ୍ରସ୍ତାବ ଆଣିଥିଲେ ଏବଂ ସେତେବେଳେ ସାଂସଦଙ୍କୁ ଭୋଟ୍‌ ପାଇଁ ଲାଞ୍ଚ ମାମଲା କଗ୍ରେସର ଅସଲ ଚରିତ୍ରକୁ ପଦରେ ପକାଇଦେଇଥିଲା ବୋଲି ଶାହ କହିଥିଲେ।

Leave a Reply

Your email address will not be published. Required fields are marked *