ମୁଖ୍ୟ ଖବର

ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ

ଗାନ୍ଧିନଗର: ଭୂକମ୍ପରେ ଦୋହଲିଲା ଗୁଜରାଟ। ରବିବାର ଅପରାହ୍ନରେ ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜକୋଟର ୨୭୦କିଲୋମିଟର ଉତ୍ତର ଉତ୍ତର ପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଅପରାହ୍ନରେ ୩ଟା ୨୧ରେ ଭୂକମ୍ପ ହୋଇଥିବା କୁହାଯାଉଛି। ଏହି ଭୂକମ୍ପ ପରେ କେହି ମୃତାହତ ହେବାର ଖବର ମିଳିନାହିଁ।

ଏହା ପୂର୍ବରୁ ଫେବ୍ରୁଆରି ୧୯ରେ ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଥିଲା ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଥିଲା। ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ କମ୍ପନ ଅନୁଭୂତ ହୋଇଥିବ‌ା ବେଳେ ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନଥିଲା।ଗତ କିଛି ଦିନ ହେବ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ହେଉଥିବାର ଖବର ମିଳିଛି। ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ଏବେ ଭାରତବାସୀଙ୍କ ମନରେ ଭୂକମ୍ପକୁ ନେଇ ଭୟ ଦେଖାଦେଇଛି। ଇତିମଧ୍ୟରେ ତୁର୍କୀରେ ଫେବ୍ରୁଆରି ୬ ତାରିଖରେ ହୋଇଥିବା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି।

Leave a Reply

Your email address will not be published. Required fields are marked *