ମହାନଗର

ପରଲୋକରେ ‘କଟକ ମହାନଗର ନିଗମ’ର ପ୍ରଥମ ମେୟର ନିବେଦିତା

କଟକ: କଟକ ମହାନଗର ନିଗମ (ସିଏମ୍‌ସି)ର ପୂର୍ବତନ ତଥା ପ୍ରଥମ ମେୟର ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି। ଗୁରୁବାର ଅପରାହ୍‌ଣରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ତାଙ୍କୁ ୫୯ବର୍ଷ ହୋଇଥିଲା। ଦେଢ଼ ବର୍ଷ ହେଲା ଅସୁସ୍ଥ ହୋଇ ନିୟମିତ ଚିକିତ୍ସାରେ ରହୁଥିବା ନିବେଦିତାଙ୍କୁ କିଛି ତଳେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଥିଲା। ପରଲୋକ ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ମାତାମଠ, ମଣିସାହି ଛକ, ବକ୍ସିବଜାର, ଦରଘାବଜାର, ଚୌଧୁରୀବଜାର, ସିଏମ୍‌ସି କାର୍ଯ୍ୟାଳୟ, ଝୋଲାସାହି, ନିମସାହି, ସେମିନାରୀ ଛକ ପରିକ୍ରମା କରି ହରିପୁର ଦୋଳମୁଣ୍ଡାଇ ସଙ୍ଗମ ସିନେମା ପାଖ ବାସଭବନକୁ ନିଆଯାଇ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ଭଉଣୀ, ଭିଣୋଇଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଆଜି ରାତିରେ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବା ନିବେଦିତାଙ୍କ ଛାତ୍ର ଜୀବନରୁ ସମାଜସେବା ପ୍ରତି ରୁଚି ଥିଲା। କେନ୍ଦ୍ରାପଡ଼ା କଲେଜର ପଢ଼ୁଥିବା ସମୟରେ ସମୀର ଦେ’ଙ୍କ ପରାମର୍ଶରେ ନିବେଦିତା ବିଜେପିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ବିଜେପିର ମହିଳା ମୋର୍ଚ୍ଚା, ରାଜ୍ୟ ସାଧାରଣ ସଂପାଦିକା ଭଳି ବହୁ ପଦପଦବିରେ ରହି ବିଜେପି ସଂଗଠନକୁ ରାଜ୍ୟରେ ସୁଦୃଢ଼ କରିଥିଲେ। ୧୯୯୮ରେ ସେ ହରିପୁର ଅଞ୍ଚଳରୁ ପ୍ରଥମ ଥର କାଉନ୍‌ସିଲର ଭାବେ ନିର୍ବାଚନ ଲଢ଼ି ହାରିଥିଲେ। ଆଶୀର୍ବାଦ ବେହେରା କଟକ ମୁନିସପାଲିଟି ଚେୟାରମ୍ୟାନ ଥିବା ସମୟରେ ନିବେଦିତା ଦ୍ବିତୀୟ ଥର ନିର୍ବାଚନ ଲଢ଼ି କାଉନସିଲର ଭାବେ ନିର୍ବାଚିତ ‌ହୋଇଥିଲେ। ପରେ ୨୦୦୦ ମସିହାରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ବିଧାୟିକା ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *