ଦେଶ- ବିଦେଶ

ଘୃଣ୍ୟ ଭାଷଣ ମାମଲାର ତଦନ୍ତ ପାଇଁ କମିଟି ଗଠନ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ ହେଉଥିବା ଘୃଣ୍ୟ ଭାଷଣ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଗତ ସପ୍ତାହରେ ହରିୟାଣା ସମେତ ସମଗ୍ର ଦେଶରେ ଅନୁଷ୍ଠିତ ରାଲିରେ ଏକ ସମ୍ପ୍ରଦାୟର ସଦସ୍ୟଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ବହିଷ୍କାର ପାଇଁ ଆହ୍ଵାନ ଦେଇଥିବା ‘ଘୃଣ୍ୟ ଭାଷଣ’ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସାମ୍ବାଦିକ ଶାହିନ ଅବଦୁଲ୍ଲାଙ୍କ ଦ୍ୱାରା ଆଗତ ଏକ ଆବେଦନର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସମନ୍ଵୟ ରହିବା ଆବଶ୍ୟକ। ଏଥିପାଇଁ ସମସ୍ତ ସମ୍ପ୍ରଦାୟ ଦାୟୀ। ଘୃଣ୍ୟ ଭାଷଣ ସମସ୍ୟା ଗ୍ରହଣୀୟ ନୁହେଁ ଏବଂ ଏହାକୁ କେହି ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଏଥିସହ ଦେଶବ୍ୟାପୀ ହେଉଥିବା ଘୃଣ୍ୟ ଭାଷଣ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ କହିଛନ୍ତି ସୁପ୍ରିମ୍‌କୋର୍ଟ। ଏଥିପାଇଁ ଆସନ୍ତା ଅଗଷ୍ଟ ୧୮ ସୁଦ୍ଧା କମିଟି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ସହ ଏ ସଂପର୍କରେ ଜବାବ ମାଗିବାକୁ କୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍‌ ନଟରାଜଙ୍କୁ କହିଛନ୍ତି।

ଜଷ୍ଟିସ୍‌ ଖାନ୍ନା କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ହରିୟାଣା ସାଂପ୍ରଦାୟିକ ହିଂସା ସଂପର୍କରେ ପୁଲିସ ମୁଖ୍ୟଙ୍କୁ ଏକ କମିଟି ଗଠନ କରିବାକୁ କହିବେ, ଯାହା ବିଭିନ୍ନ ଅଞ୍ଚଳର ଥାନାଗୁଡ଼ିକୁ ମିଳିଥିବା ଘୃଣ୍ୟ ଭାଷଣ ଅଭିଯୋଗର ଯାଞ୍ଚ କରିବ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ ରେ ହେବ।

Leave a Reply

Your email address will not be published. Required fields are marked *