ରାଜନୀତି

ତୃଣମୂଳ ରକ୍ତରେ ଖେଳ ଖେଳିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟର ହିଂସାକାଣ୍ଡରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ ରକ୍ତରେ ଖେଳ ଖେଳିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରି କହିଛନ୍ତି।

ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍‌’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଭାଷାରେ କହିଲେ, ‘ଟିଏମ୍‌ସି’ ନେ ଖୁନୀ ଖେଲ୍‌ ଖେଲା ହୈ…।

ଏହାଛଡ଼ା, ସେମାନଙ୍କ ଜୀବନ ଦୁର୍ବିଷହ କରିଦିଆଯିବ ବୋଲି ମଧ୍ୟ ଭୋଟର୍‌ମାନଙ୍କୁ ଧମକ ଦେଇଥିବା କଥା ପ୍ରଧାନମନ୍ତ୍ରୀ ତୃଣମୂଳ କଂଗ୍ରେସ ପାର୍ଟି ଉପରେ ଦୋଷାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆପଣାକୁ ଗଣତନ୍ତ୍ରର ‘ଚାମ୍ପିୟନ୍‌’ ବୋଲି ପ୍ରଚାର କରୁଛନ୍ତି ସେମାନେ ହିଁ ‘ଇଭିଏମ୍‌’ ଛଡ଼ାଇ ନେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଭୋଟ୍‌ ଗ୍ରହଣ ଦିନ ବୁଥ୍‌ ଜବରଦଖଲ କରିବା ଲାଗି ଦଳ ଦୁର୍ବୃତ୍ତମାନଙ୍କୁ ଠିକା ଦେଇଛି। କାର୍ଯ୍ୟ ହାସଲ ନିମନ୍ତେ ଦଳ ମାରାତ୍ମକ ଆକ୍ରମଣ କରୁଛି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୮ ତାରିଖରେ ପଶ୍ଚିମ ବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ରାଜ୍ୟର ସମସ୍ତ ୨୦ଟି ଜିଲ୍ଲା ପରିଷଦ୍‌ ଆସନରେ  ଜିଣିବା ସହିତ ସମୁଦାୟ ୩,୩୧୭ଟି ଗ୍ରାମପଞ୍ଚାୟତ ଆସନରୁ ୨,୬୪୧ଟିରେ ଓ ସମୁଦାୟ ୩୪୧ଟି ପଞ୍ଚାୟତ ସମିତି ଆସନରୁ ୩୧୩ଟିରେ ବିଜୟ ହାସଲ କରିଥିଲା।

ପ୍ରାପ୍ତ ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବଚାନଜନିତ ହିଂସାକାଣ୍ଡରେ ସମୁଦାୟ ୪୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କେବଳ ନିର୍ବାଚନ ଦିନ ହିଁ ୨୧ଜଣଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *