ମୁଖ୍ୟ ଖବର

ସିସୋଦିଆଙ୍କୁ ଗିରଫ ପରେ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆମ୍ ଆଦମୀ ପାର୍ଟି ଟ୍ୱିଟ୍ କରି କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ତେବେ ତାଜା ସୂଚନା ମୁତାବକ ସିସୋଦିଆଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀଙ୍କ ସହ ମନୀଷ ସିସୋଡିଆଙ୍କ ଘରେ ପହଞ୍ଚିଛନ୍ତି। ଅନ୍ୟପଟେ ଗିରଫ ପଛର କାରଣ ବାବଦରେ ସିବିଆଇ କହିଛି ଯେ ଯେଉଁସବୁ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା ସେ ତାହାର ଉତ୍ତର ଦେଇନଥିଲେ |ତଦନ୍ତକାରୀ ଅଧିକାରୀଙ୍କୁ ସିସୋଦିଆ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ।ସେହିପରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଦିଲ୍ଲୀ ପୁଲିସ ମଧ୍ୟ ସୁରକ୍ଷାକୁ ବଢ଼ାଇଦେଇଛି | ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେଭଳି ବିଗିଡ଼ିନଯାଏ ସେଥିପ୍ରତି ଦୃଷ୍ଟି ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ସିବିଆଇ କାର୍ଯ୍ୟାଳୟ ବାହାରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ସିବିଆଇ ଏଫ୍ଆଇଆର୍ ଅନୁଯାୟୀ, ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା, ଅପରାଧିକ ଷଡଯନ୍ତ୍ର ନେଇ ମାମଲା ରୁଜୁ କରାଯାଇଛି ।ଦୁର୍ନୀତି ନିବାରଣ ଆଇନ (୧୯୮୮) ର ଧାରା ୭ ମନୀଷଙ୍କ ଉପରେ ଲାଗୁ କରାଯାଇଛି। ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୭ ବର୍ଷ ଜେଲ ଏବଂ ଜରିମାନା ହୋଇପାରେ | ସେହିପରି ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର) ମଧ୍ୟ ମନୀଷ ସିସୋଦିଆଙ୍କ ଉପରେ ଲାଗୁ କରାଯାଇଛି। ଏଥିରେ ୬ ମାସର ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ହୋଇପାରେ | ଅନ୍ୟପକ୍ଷରେ, ଆକାଉଣ୍ଟସ ଜାଲିଆତି ପାଇଁ ଆଇପିସିର ଧାରା ୪୭୭ ଏ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *