ଅପରାଧ

ଆଖି ବୁଜିଲେ ବାଲେଶ୍ବରର ଏସିଡ୍‌ ପୀଡ଼ିତା ବନିତା ସିଂ

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ ଭୀମପୁରା ଗ୍ରାମରେ ଏସିଡ୍‌ ମାଡ଼ର ଶିକାର ହୋଇଥିବା ବନିତା ସିଂଙ୍କର ଆଜି ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସା ଚାଲିଥିବା ବେଳେ ରବିବାର ସଂଧ୍ୟା ପ୍ରାୟ ୭ଟା ବେଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଫେରାର ଥିବା ପୀଡ଼ିତାଙ୍କ ସ୍ବାମୀକୁ ଏଯାଏ ଗିରଫ କରିବାରେ ସଫଳ ହୋଇପାରିନାହିଁ।ସୂଚନା ଥାଉକି ଗତ ୨୦ ତାରିଖ ସୋମବାର ଦ୍ବି-ପ୍ରହର ସମୟରେ ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଗ୍ରାମର କାର୍ତ୍ତିକ ସିଂଙ୍କ ସାନଝିଅ ବନିତା(୨୦) ଦେଢ଼ମାସ ପୂର୍ବରୁ ନୀଳଗିରି ଥାନା ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣାଙ୍କୁ ପ୍ରେମ ବିବାହ କରିଥିଲେ। ସେ ଗାଁ ଗାଁ ବୁଲି ସୁନାଗହଣା ବେପାର କରୁଥିବା ଜଣେ ବେପାରୀ। ତେବେ ବନିତା ତାଙ୍କୁ ବିବାହ କରିବେ ପରେ ସେ ପୂର୍ବରୁ ଆଉ ଜଣେ ମହିଳାଙ୍କୁ ବିବାହ କରିଥିବା ଜାଣିବାକୁ ପାଇଥିଲେ ଏବଂ ଚନ୍ଦନଙ୍କ ପାଖରୁ ପଳାଇ ବନିତା ଭୀମପୁରାରେ ରହୁଥିବା ନିଜ ବଡ଼ଭଉଣୀ ବର୍ଷାଙ୍କ ଘରେ ରହିଥିଲେ। ଏହାପରେ ଚନ୍ଦନ ବନିତାଙ୍କୁ ନେବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ତାଙ୍କ ପାଖକୁ ଯାଇନଥିଲେ। ଗତ ୨୦ ତାରିଖ ଦିନ ଚନ୍ଦନ ଭୀମପୁରାରେ ବନିତା ରହୁଥିବା ତାଙ୍କ ବଡ଼ଭଉଣୀ ଘରେ ପହଞ୍ଚି ତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍‌ କରିଥିଲେ। ଉଭୟ ଦୀର୍ଘସମୟ ଧରି କଳିଝଗଡ଼ା ଲାଗିବା ପରେ ଚନ୍ଦନ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଏକ ବୋତଲରେ ଆଣିଥିବା ଏସିଡ୍‌ ତାଙ୍କ ଉପରେ ଫିଙ୍ଗିଥିଲେ। ବନିତା ଯନ୍ତ୍ରଣାରେ ଚିତ୍କାର କରିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ ୨ ଶିଶୁସନ୍ତାନ(ପୁଅ ଓ ଝିଅ) ଏସିଡ୍‌ ମାଡ଼ର ଶିକାର ହୋଇଥିଲେ। ସମସ୍ତଙ୍କ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ବେଳେ ବନିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *