ଧର୍ମ

ଜଗନ୍ନାଥ ସଂସ୍କୃତିରେ ଭକ୍ତର ସ୍ଥାନ

ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ

ଆମ ଅଧାଗଢା ଅବୟବ ଜଗନ୍ନାଥ ସାରା ବିଶ୍ବରେ ନିଆରା । ତା’ ଅନନ୍ୟ ସଂସ୍କୃତି ଜଗତରେ ଭକ୍ତପ୍ରାଣକୁ ଆନ୍ଦୋଳିତ କରେ । ଯୁଗେଯୁଗେ ଭକ୍ତର ଭକ୍ତି ଯେ ତା’ଠାରୁ ବଡ, ଏକଥା ସିଏ ବାରମ୍ବାର ପ୍ରମାଣିତ କରିବସେ । କୃଷ୍ଣରଂଗର ପୃଥୁଳ କାୟାକୁ ଧରି ସାଧାରଣ ବ୍ୟକ୍ତି ପରି ମାଟିପାତ୍ରରେ ଭୋଜନ ଜଗନ୍ନାଥ ସଂସ୍କୃତିକୁ ଆହୁରି ମହାନ୍ କରେ । ସାଧାରଣ ମଣିଷଟେ ପରି ମାନବୀୟ ଲୀଳାଖେଳା ସହ ବାରମାସରେ ତେରପର୍ବ ମନେଇବାର ସଉକ ଆଉ କୋଉ ଠାକୁର ପାଖରେ ଅଛି ଭଲା ! ସେ କିନ୍ତୁ ପରିପାଟୀରେ ଭାରି ରସିକିଆ । ବେଶ ପରେ ବେଶରେ ସଜେଇହେଇ ନିଜର ପିନ୍ଧାପ୍ରିୟ ଗୁଣସବୁ ଉତୁରିହେଇପଡେ ତା’ର ଦୈନନ୍ଦିନ ସେବାସବୁକୁ ନିରିଖେଇକି ଦେଖିଲେ । ହେଲେ ତା’ର ନମ୍ରତାକୁ ତ ଦେଖ ! ତା’ ମତରେ ସେ ଯେତିକି ଶକ୍ତିଶାଳୀ ନୁହେଁ, ତା’ଠାରୁ ଅନେକ ଗୁଣରେ ଶକ୍ତିଶାଳୀ ତା’ ଭକ୍ତର ଭକ୍ତି । ଭକ୍ତିରେ ଯେ ତାକୁ ବଶ କରିହେବ, ଏକଥା ସେପରି କେଇ ଭକ୍ତଙ୍କ ବିଷୟରେ ଜାଣିଲେ ସ୍ପଷ୍ଟ ବାରିହୁଏ ।

💎ବନ୍ଧୁ ମହାନ୍ତି💎


କାଳିଆ ହାତୀର ଯାଜପୁରିଆ ଭକ୍ତ ଥିଲେ ବନ୍ଧୁ ମହାନ୍ତି । ଦାରିଦ୍ରତା ଭିତରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ । ସ୍ଥିତି ଏମିତି ଥିଲା କି, ଦିଓଳି ଦିମୁଠା ଖାଇବା ମଧ୍ୟ ମିଳୁନଥିଲା । ହେଲେ ସେଇ ଭିତରେ ଜଗନ୍ନାଥ ଭକ୍ତି ଛାଡିନଥିଲେ ବନ୍ଧୁ ମହାନ୍ତି । ଦିନଦିନ ଧରି ଖାଦ୍ୟାଭାବରୁ ପୁରା ପରିବାର କଙ୍କାଳସାର ହେଇଗଲେ । ଦିନେ ବନ୍ଧୁ ମହାନ୍ତି ଜଗନ୍ନାଥ ନାମ ଜପୁଥିବାର ଦେଖି ତାଙ୍କ ପତ୍ନୀ ତାଙ୍କୁ ଧିକ୍କାର କଲେ । ନିଜ ପରିବାରର ଅଭାବୀ ଅବସ୍ଥା ଜଣେଇବାକୁ ସେଇ ଜପୁଥିବା ଜଗନ୍ନାଥଙ୍କ ପାଖକୁ ଯିବାକୁ କହିଲେ । ବନ୍ଧୁ ମହାନ୍ତି ପ୍ରଥମେ ଅମଙ୍ଗ ହେଉଥିଲେ ସୁଦ୍ଧା ପରବର୍ତ୍ତୀ ଅବସ୍ଥାରେ ପତ୍ନୀ ଓ ପୁତ୍ର ସହ ଶ୍ରୀକ୍ଷେତ୍ର ବାହାରିଲେ । ତାଙ୍କ ମଇଳା ଚିରା ପୋଷାକ ଓ ବେଶଭୂଷା ଦେଖି ତାଙ୍କୁ ପଣ୍ଡାମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ନଦେବାରୁ ସପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ମେଘନାଦ ପାଚେରୀ ପାଖରେ ଥିବା ପେଜନଳା ନିକଟରେ ଆଶ୍ରୟ ନେଲେ । ଭୋକରେ ଉଦରର ଅବସ୍ଥା ଅସମ୍ଭାଳ ହେବାରୁ ଗାଇଗୋରୁ ପିଉଥିବା ସେଇ ପେଜନଳାରୁ କିଛି ଅନ୍ନ ଆଣି ଖାଇବାକୁ ଲାଗିଲେ । ଏହାପରେ ତାଙ୍କ ପତ୍ନୀ ଅଶ୍ରୁଭିଜା ଆଖିରେ ଜଗନ୍ନାଥଙ୍କ ନାମରେ ଅନେକ ଭତ୍ସନା କରିବା ସହ ଏହା ତାଙ୍କ ନାମ ଜପିବାର ଫଳ ବୋଲି ବନ୍ଧୁ ମହାନ୍ତିଙ୍କୁ ତାତ୍ସଲ୍ୟ କଲେ । ଏଥର ଆଉ ସମ୍ଭାଳିପାରିଲେନି ଭକ୍ତବତ୍ସଳ ! ସେତେବେଳକୁ ରାତି ହେଇ ପହୁଡ ପଡିବା ସମୟ ହେଇସାରିଥାଏ । ନିଜେ ସ୍ବୟଂ ଜଗନ୍ନାଥ ଏକ କଳା ବ୍ରାହ୍ମଣ ବେଶରେ ନିଜ ରତ୍ନବେଦୀ ଉପରେ ଥିବା ସୁନା ଥାଳିରେ ମହାପ୍ରସାଦର ବିବିଧ ବ୍ୟଞ୍ଜନ ଧରି ତାଙ୍କ ପରିବାରକୁ ଦେଇ ଏସବୁ ଶ୍ରୀମନ୍ଦିର ଭିତରେ ଥିବା ବନ୍ଧୁ ମହାନ୍ତିଙ୍କର ଏକ ବନ୍ଧୁ ପଠେଇଛନ୍ତି ବୋଲି କହିଲେ । ସପରିବାର ମହାପ୍ରସାଦ ସେବନ କରି ଥାଳି ଧୋଇ ସେଇ ବ୍ରାହ୍ମଣଙ୍କୁ ଦେବାକୁ ଗଲାବେଳକୁ ସେ କୁଆଡେ ଅନ୍ତର୍ଧ୍ୟାନ ହେଇସାରିଥିଲେ । ପରଦିନ ମହାପ୍ରଭୂଙ୍କର ସୁନାଥାଳି ଚୋରି ହେଇଥିବାର ଚହଳ ପଡିଲା । ସୈନ୍ୟମାନେ ବନ୍ଧୁ ମହାନ୍ତିଙ୍କର ଝୁଲାରୁ ସୁନାଥାଳିକୁ ଠାବ କରି ତାଙ୍କୁ କାରାଗାରରେ ପୁରାଇଲେ । ଏପଟେ ରାଜାଙ୍କୁ ରାତିରେ ସ୍ବପ୍ନାଦେଶ ହେଲା ଯେ, ବିନା ଦୋଷରେ ଯେଉଁ ବନ୍ଧୁ ମହାନ୍ତିଙ୍କୁ କାରାଗାରରେ ନିର୍ଯାତନା ଦିଆଯାଉଛି ସେ ମହାପ୍ରଭୂଙ୍କର ପରମ ଭକ୍ତ ବୋଲି । ପରଦିନ ସକାଳୁ ରାଜା ନିଜେ ଆସି ବନ୍ଧୁ ମହାନ୍ତିଙ୍କୁ କାରାଗାରରୁ ମୁକ୍ତ କରି ପାଦତଳେ ପଡିଗଲେ । ମହାପ୍ରଭୂଙ୍କ ନିର୍ଦ୍ଦେଶାନୁସାରେ ତାଙ୍କପାଇଁ ସ୍ଥାୟୀ ରହଣୀର ବ୍ୟବସ୍ଥା କରି ଶ୍ରୀମନ୍ଦିରର ଅର୍ଥ ହିସାବରେ ତାଙ୍କୁ ନିଯୁକ୍ତ କଲେ । ଏହିପରି ମହାପ୍ରଭୂ ନିଜ ଭକ୍ତର ଭକ୍ତି ଆଗରେ ବନ୍ଧା ପଡିଥିଲେ ।

💎ଝୋଲିଆ କବୀର💎


ଝୋଲିଆ କବୀର ଜାତିରେ ମୁସଲମାନ ଥିଲେ । ଲୁଗା ବୁଣି ବିକ୍ରିକରି ନିଜର ଅଭାବୀ ଜୀବନ ବିତାଉଥିଲେ । ତାଙ୍କର ପ୍ରଗାଢ ଜଗନ୍ନାଥ ଭକ୍ତିରେ ସ୍ବୟଂ ଜଗନ୍ନାଥ ବିସ୍ମୟ ଥିଲେ । ସେ ଭକ୍ତିରେ ଏତେ ଭୋଳ ହେଇଯାଉଥିଲେ ଯେ, ଥରେ ତାଙ୍କ ପତ୍ନୀ ତାଙ୍କୁ ଧଳାଜାଉ ଉପରେ କିଛି ଶାଗ ଦେଇ ଖାଇବାକୁ କହିଲେ । ସଂଯୋଗବଶତଃ ସେଇ ଶାଗ ଜାଉ ଉପରେ ଦୁଇ ଗୋଲ୍ ଗୋଲ୍ ଚକାଆଖି ପରି ଦିଶୁଥିଲା । ତାକୁ ଦେଖି ଝୋଲିଆ କବୀର ପାଗଳପ୍ରାୟ ଡେଇଁଡେଇଁ ଜଗନ୍ନାଥ ନାମ ଜପିବାକୁ ଲାଗିଲେ । ଦୀର୍ଘ ସମୟ ପରେ ତାଙ୍କ ଦୁଆର ଆଗରେ ଯାଉଥିବା ଜଣେ ସନ୍ଥ ଆସି ସେ ଜାଉରୁ ଶାଗକୁ ଅଲଗା କରିଦେବାପରେ ଯାଇ ସେ ଭୋଜନ କଲେ ।
ଆଉଥରେ ତାଙ୍କୁ ପରୀକ୍ଷା କରିବାକୁ ସ୍ବୟଂ ଜଗନ୍ନାଥ ଆସିଥିଲେ । ସେଦିନ ସେ ଦୁଇଖଣ୍ଡ ଲୁଗା ବୁଣିଥିଲେ । ପ୍ରଭୂ ଚିରାଲୁଗା ଖଣ୍ଡେ ପିନ୍ଧି ବ୍ରାହ୍ମଣ ବେଶରେ ଯାଇ ତାଙ୍କୁ ଲୁଗା ଭିକ୍ଷା କରନ୍ତେ, ସେ ହାତରେ ଧରିଥିବା ଗୋଟିଏ ଲୁଗା ଦେଇଦେଲେ । ପ୍ରଭୂ କାନ୍ଧରେ ପକେଇବା ପାଇଁ ଆର ଲୁଗାଖଣ୍ଡକ ମାଗିବାରୁ ସେଇଟି ମଧ୍ୟ ଦେଇଦେଲେ । ହେଲେ ଏବେ କରିବେ କ’ଣ ? ପରିବାର ଖାଇବେ କେମିତି ? ଏକାନ୍ତରେ ଘରୁ ବାହାରି ଏକ ସ୍ଥାନକୁ ଯାଇ ଲୁହଭିଜା ଆଖିରେ ପ୍ରଭୁଙ୍କୁ ସ୍ମରଣ କଲେ । ଏଥର ଆଉ ପ୍ରଭୂ କି ସମ୍ଭାଳନ୍ତି ! ନିଜେ ଗୋପାଳ ବେଶରେ ଏକ ଭାର ଧରି ଝୋଲିଆ କବୀର ଘର ଆଗରେ ଛିଡା ହେଇ ତାଙ୍କ ମାଆଙ୍କୁ ଏସବୁ କବୀର ପଠେଇଛନ୍ତି ବୋଲି କହିଲେ । ଝୋଲିଆ କବୀର ଘର ପୁରିଗଲା ସିନା, ହେଲେ ଭାରରୁ ସାମଗ୍ରୀ ସରିଲାନି । ଆଶ୍ଚର୍ଯ୍ୟରେ ଝୋଲିଆର ପରିବାର କିଂକର୍ତ୍ତବ୍ୟବିମୂଢ ହେଇପଡିଲେ । ତା’ପରେ ଗୋପାଳ ବେଶରେ ଥିବା ପ୍ରଭୂ ଚାଲିଗଲା ପରେ ଝୋଲିଆ କବୀର ଘରକୁ ଆସି ସବୁକଥା ଶୁଣି ଜାଣିପାରିଲେ ଯେ, ଏସବୁ ସେଇ ନୀଳଶୈଳଙ୍କ କାମ ବୋଲି ।

💎ଦାସିଆ ବାଉରୀ💎


ବାଲିଗାଁ ଦାସିଆ ଜାତିରେ ତନ୍ତୀ ଥିଲେ । ସେ ମଧ୍ୟ ଲୁଗା ବୁଣି ଦାରିଦ୍ର ଭିତରେ କାଳାତିପାତ କରୁଥିଲେ । ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ଥିଲା । ଛୋଟ ଜାତି ହେଇଥିବାରୁ ମନ୍ଦିର ଭିତରକୁ ଯାଇ ସେ ମହାପ୍ରଭୂଙ୍କୁ ଦେଖିପାରୁନଥିଲେ । ଥରେ ସାରାଦିନ ଶ୍ରମକରି ବୁଣିଥିବା ଖଣ୍ଡେ ଲୁଗା ବିକ୍ରି କରିବାକୁ ସେ ଏକ ବ୍ରାହ୍ମଣଙ୍କ ଘରକୁ ଯାଇଥିଲେ । ଦେଖିଲେ ବ୍ରାହ୍ମଣ ପୁରୀ ବାହାରିଛନ୍ତି ଶ୍ରୀମନ୍ଦିର ଯିବାପାଇଁ । ବ୍ରାହ୍ଣଣଙ୍କ ନଡିଆ ଗଛରେ ଥିବା ଏକ ସୁନ୍ଦର ନଡିଆକୁ ଦେଖି ସେଇ ଲୁଗାଟି ବଦଳରେ ସେ ନଡିଆଟିକୁ ଦେବାପାଇଁ ବ୍ରାହ୍ଣଣଙ୍କୁ ଅନୁରୋଧ କଲେ । ଆଉ ସେ ନଡିଆଟିକୁ ବ୍ରାହ୍ଣଣଙ୍କୁ ଦେଇ ଗରୁଡସ୍ତମ୍ଭ ପଛରେ ହାତଟେକି ବଢେଇବାକୁ କହିଲେ । ଯଦି ନିଜେ ଜଗନ୍ନାଥ ହାତ ବଢେଇ ନନିଅନ୍ତି, ତେବେ ଫେରାଇ ଆଣିବାକୁ କହିଲେ । ବ୍ରାହ୍ଣଣ ଯାଇ ସେଇୟା କଲେ । ଆଶ୍ଚର୍ଯ୍ୟପୂର୍ଣ୍ଣ ଭାବରେ ସ୍ବୟଂ ଜଗନ୍ନାଥ ବେନିଭୁଜ ବଢେଇ ନଡିଆକୁ ଗ୍ରହଣ କରିଥିଲେ । ଆଉଥରେ ଏମିତି ଟୋକେଇଟେ ହେବ ଆମ୍ବ ଧରି ଦାସିଆ ଗୋଟେ ଗୋଟେ କରି ନୀଳଚକ୍ର ଆଡକୁ ବଢାଉଥିଲେ । ଆମ୍ବସବୁ ଅଦୃଶ୍ୟ ମଧ୍ୟ ହେଇଯାଉଥିଲା । ପଣ୍ଡାମାନେ ଆଶ୍ଚର୍ଯ୍ୟ ହେଇ ରତ୍ନବେଦୀ ଉପରେ ଦେଖିଲାବେଳକୁ ଆମ୍ବଟାକୁଆ ସାଙ୍ଗକୁ ଚୋପା ସବୁ ପଡିଥିଲା । ରଂଗଅଧରରେ ଆମ୍ବରସ ମଧ୍ୟ ଲାଗିଥିଲା । ଏସବୁ ଦେଖିସାରିଲା ପରେ ଦାସିଆ ବାଉରୀର ଭକ୍ତି ଆଗରେ ସବୁ ନତମସ୍ତକ ହେଲେ ।

💎ଗୀତା ପଣ୍ଡା💎


ଗୀତା ପଣ୍ଡା ପୁରୀର ବାସିନ୍ଦା ଥିଲେ । ସେ ଜଗନ୍ନାଥ ପ୍ରେମରେ ଏତେ ଅନ୍ଧ ଥିଲେ ଯେ, ପ୍ରତ୍ୟହ ୧୮ ଅଧ୍ୟାୟ ଗୀତାପାଠ କରିବା ପରେ ଯାଇ ଅନ୍ନଜଳ ସ୍ପର୍ଶ କରୁଥିଲେ । ଦାରିଦ୍ର୍ୟ ତାଙ୍କ ପିଛା ଛାଡୁନଥିଲା । ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ ସିଏ । ଥରେ ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ଗାଆଁ ଗାଆଁ ବୁଲିଲେ ସୁଦ୍ଧା ତାଙ୍କୁ ଭିକ୍ଷା ମିଳିଲା ନାହିଁ । ଘରେ ପାଞ୍ଚପ୍ରାଣୀ ଭୋକିଲା ରହିଲେ । ଏତେ କଷଣ ଭିତରେ ବି ଗୀତା ପଣ୍ଡା ଗୀତା ପଢିବା ଛାଡୁନଥିଲେ । ଦିନେ ଗୀତାର ନବମ ଅଧ୍ୟାୟର ୨୨ ଶ୍ଲୋକ ପଢୁଥାଆନ୍ତି ଗୀତା ପଣ୍ଡା ।
”ସମସ୍ତ କର୍ମ ପରିହରି, ଯେ ମୋର ପାଦେ ଆଶ୍ରାକରି
ତାହାର ନିର୍ବାହର ଭାର, କାନ୍ଧରେ ରହିଛି ମୋହର ।।
ନିତ୍ୟେ ଲଗାଇ ତାକୁ ଯେତେ, ସେ ଚିନ୍ତା କାହିଁ ଅଛି ତୋତେ
ଏକଥା ଅଟଇ ପ୍ରମାଣ, ବୋଲି ଅଛନ୍ତି ନାରାୟଣ ।।
ଏତିକିବେଳକୁ ନିଜ ପରିବାରର ଭୋକ ସମ୍ଭାଳି ନପାରି ତାଙ୍କ ପତ୍ନୀ ରାଗରେ ଆସି ଅତି କଦର୍ଯ୍ୟଭାବେ ତାଙ୍କୁ ଗାଳିକରି ସେଠାରେ ଥିବା ଲେଖନୀଟି ଧରି ତାଳପୋଥିରେ ଲେଖାଥିବା ସେଇ ୨୨ ନମ୍ବର ଶ୍ଲୋକ ଉପରେ ତିନିଟା ଗାର ପକେଇଦେଲେ । ବିଚଳିତ ହେଇପଡିଲେ ଗୀତା ପଣ୍ଡା । ସ୍ବୟଂ ଭଗବାନଙ୍କ ମୁଖନିସୃତ ବାଣୀ ଇଏ । ହାଏରେ ଦଇବ……..ଇଏ କ’ଣ କଲା ଏ ଚାଣ୍ଡାଳୀ ! ଧାଇଁଗଲେ ଶ୍ରୀମନ୍ଦିରକୁ ଗୀତା ପଣ୍ଡା ନିଜ ପତ୍ନୀର କଲାକର୍ମ ପାଇଁ କ୍ଷମା ପ୍ରାର୍ଥନା କରିବାକୁ । ଏକଥା ଜଗନ୍ନାଥଙ୍କୁ ଭାରି ବାଧିଲା । ସେ ନିଜେ ଏକ ବ୍ରାହ୍ମଣ ବେଶରେ ଭାର କାନ୍ଧେଇ ପହଁଚିଗଲେ ଗୀତା ପଣ୍ଡାଙ୍କ ଘରେ । ଦୁଆରେ ଛିଡାହେଇ ଖନେଇ ଖନେଇ ଗୀତା ପଣ୍ଡାଙ୍କ ପତ୍ନୀଙ୍କୁ ଡାକିଲେ । ଆଉ କହିଲେ……..”ଏସବୁ ଗୀତା ପଣ୍ଡା ପଠେଇଛନ୍ତି, ରଖିନିଅ ମାଆ ।” ଗୀତା ପଣ୍ଡାଙ୍କ ପତ୍ନୀ ଏତେ ସୁନ୍ଦର ବ୍ରାହ୍ମଣ ବାଳକର ଏମିତି ଖନେଇ କଥା କହିବାର କାରଣ ପଚାରିବାରୁ ସେ କହିଲେ……”ଜଣେ ମାଆ ମୋ ଜିଭ କାଟିଦେଇଥିବାରୁ କ୍ଷତ ହେଇଯାଇଛି । ଗୀତା ପଣ୍ଡା ଆସିଲେ ପଚାରିବ, ସେ ସବୁ ଜାଣନ୍ତି ।” ଏତିକି କହି ସେ ଚାଲିଗଲେ । ଗୀତା ପଣ୍ଡା ଆସି ସବୁକଥା ଶୁଣିଲାପରେ ଜାଣିପାରିଲେ ଯେ, ସ୍ବୟଂ ଜଗନ୍ନାଥ ହିଁ ଆସିଥିଲେ । ତାଙ୍କ ପତ୍ନୀ ଲେଖନୀରେ ତାଙ୍କ ମୁଖନିସୃତ ବାଣୀ ଗୀତାକୁ କାଟିଦେଇଥିବାରୁ ପ୍ରଭୁଙ୍କ ଜିଭରେ କ୍ଷତ ହେଇଛି । ସପତ୍ନୀକ ଧାଇଁଗଲେ ଶ୍ରୀମନ୍ଦିରକୁ ଗୀତା ପଣ୍ଡା ଭଗବାନଙ୍କୁ କ୍ଷମାଭିକ୍ଷା କରିବାକୁ । ଏପରି ଭାବେ ପ୍ରେମର ଗଭୀରତା ଥିଲା ମହାପ୍ରଭୁ ଜଗନ୍ନାଥ ଓ ଗୀତା ପଣ୍ଡାଙ୍କ ଭିତରେ ।

ଭକ୍ତ ସାଲବେଗ


ସାଲବେଗଙ୍କ ପିତା ଲାଲବେଗ ବିହାରର ଜଣେ ମୁସଲମାନ ରାଜା ଥିଲେ । ସେ ପୁରୀ ଆକ୍ରମଣ କରିବାକୁ ଆସିବା ବାଟରେ ଦାଣ୍ଡମୁକୁନ୍ଦପୁରଠାରେ ଏକ ରୂପବତୀ ବିଧବା ବ୍ରାହ୍ମଣୀକୁ ଦେଖି ବିବାହ କରିବାକୁ ଅପହରଣ କରିନେଲେ । ବ୍ରାହ୍ମଣୀ ନିଜକୁ ଅସହାୟା ମନେକରି ବିବାହ ନିମିତ୍ତ ଦୁଇଟି ସର୍ତ୍ତ ରଖିଲେ ଯେ, ଲାଲବେଗ କେବେ ହିନ୍ଦୁ ମନ୍ଦିରକୁ ଆକ୍ରମଣ କରିବେ ନାହିଁ । ଆଉ ମଧ୍ୟ ତାଙ୍କୁ ମୁସଲମାନ ଧର୍ମ ମାନିବାକୁ ବାଧ୍ୟ କରାଯିବ ନାହିଁ । କାଳକ୍ରମେ ସେମାନଙ୍କଠାରୁ ଜନ୍ମ ନେଲେ ସାଲବେଗ । ସାଲବେଗଙ୍କର ଜଗନ୍ନାଥ ଭକ୍ତି ଥିଲା ଅଦ୍ଭୁତ । ଧର୍ମକୁ ଆଧାର କରି ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉନଥିବାରୁ ସେ ଭଗବାନଙ୍କ ନିକଟରେ ଅଭିମାନ କରୁଥିଲେ । ଥରେ ସେ ରଥରେ ଠାକୁରଙ୍କୁ ଦେଖିବାକୁ ବାହାରିଲେ । ବିଳମ୍ଭ ହେବାରୁ ରାସ୍ତାରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କହିଲେ……..”ସାତଶ ପଚାଶ କୋଶ ଚାଲିନପାରଇ, ମୋହ ଯିବା ଯାଏଁ ନନ୍ଦିଘୋଷ ଥିବ ରହି ।” ବାସ୍ତବରେ ରଥ ଇଞ୍ଚେ ବି ଗଡିନଥିଲା । ସାଲବେଗ ଶ୍ରୀକ୍ଷେତ୍ରରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କଲା ପରେ ରଥ ଗଡିଲା । ଏବେ ମଧ୍ୟ ଭକ୍ତ ଭକ୍ତିର ନିଦର୍ଶନ ସ୍ବରୂପ, ବଳଗଣ୍ଡିଠାରେ ସାଲବେଗଙ୍କର ସମାଧୀ ପାଖରେ ରଥ କିଛି ସମୟ ଅଟକିଯାଏ ।

💎ରଘୁ ବେହେରା💎


ରଘୁ ବେହେରାଙ୍କ ଘର ପୁରୀ ଜିଲ୍ଲାର ପିପିଲିରେ ଥିଲା । ସେ ମଧ୍ୟ ପ୍ରଚଣ୍ଡ ଜଗନ୍ନାଥ ଭକ୍ତ ଥିଲେ । ଜାତିରେ ଧୀବର ହେଇଥିବାରୁ ମାଛଧରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ପରେ ତାଙ୍କ ମନୋଭାବ ବଦଳିଥିଲା । ମତ୍ସ୍ୟ ଭଗବାନ ବିଷ୍ଣୁ ବା ଜଗନ୍ନାଥଙ୍କର ଅବତାର ହେଇଥିବାରୁ ଆଉ ମାଛ ମାରିବାକୁ ଗଲେ ନାହିଁ । ଏପଟେ ରୋଜଗାର ନଥିବାରୁ ଘରୁ ତାଙ୍କୁ ତଡିବାର ଧମକ ଦେଲେ । ତେଣୁ ବାଧ୍ୟ ହୋଇ ସେ ପୁଣି ମାଛମାରିବାକୁ ନଦୀକୁ ଗଲେ । ସେଦିନ ଖେପାଜାଲରେ ଗୋଟିଏ ମାଛ ପଡିଥିଲା । ଇଚ୍ଛା ନଥିଲେ ବି କୁଳବେଉସାକୁ ଆବୋରି ମାଛଟିକୁ ମାରିବାକୁ ଗଲାବେଳକୁ ମାଛଟି ଆଶ୍ଚର୍ଯ୍ୟଜନକଭାବେ ”ରଖ ନାରାୟଣ” ବୋଲି ଡାକ ପକେଇଲା । ଆଉ ତାକୁ ନମାରି ରଘୁ ବେହେରା ଜଙ୍ଗଲ ଭିତରକୁ ଯାଇ ଜଗନ୍ନାଥଙ୍କୁ ଘୋର ତପସ୍ୟାକରି ସାକ୍ଷାତ୍ ଦର୍ଶନ କଲେ ଏବଂ ତାଙ୍କ ପାଟିରୁ ଯାହା ବାହାରିବ ତାହା ବାସ୍ତବରେ ଘଟିବ ବୋଲି ଜଗନ୍ନାଥ ବର ଦେଇଥିଲେ । ହେଲେ ଲୋକମାନେ ତାଙ୍କୁ ଜଣେ ଅଳସୁଆ ଠକ ବୋଲି ଭାବୁଥିଲେ । ଥରେ ସେ ନିଜ ଗାଆଁ ମଣ୍ଡପ ଉପରେ ବସି ଜଗନ୍ନାଥ ନାମ ଜପୁଥାଆନ୍ତି । ଦଳେ ପିଲା ଆସି ତାଙ୍କୁ ଟାହିଟାପରା କଲେ । ସେଇଭିତରୁ ଜଣେ ପିଲା ଠେଙ୍ଗାଟେ ଧରିଆସି ରଘୁ ବେହେରା ଅଣ୍ଟାକୁ ଶକ୍ତ ପ୍ରହାରଟେ ପକେଇଲା । ସେ ବିକଳରେ ଚିତ୍କାର କରି କହିଲେ, ”ବିନା ଦୋଷରେ ତୁ ମୋର ଏପରି ଅବସ୍ଥା କଲୁ, ଭଗବାନ ତୋ କଥା ବୁଝିବେ ।” ଏତିକି ପାଟିରୁ ବାହାରିଛି କି ନାହିଁ, ତତକ୍ଷଣାତ୍ ସେ ପିଲାଟି ମୂର୍ଚ୍ଛା ଯାଇ ପ୍ରାଣବାୟୁ ଉଡିଗଲା । ସେ ପିଲାର ମାତାପିତା ରଘୁ ବେହେରାଙ୍କ ଗୋଡ ତଳେ ପଡି ପୁତ୍ରର ଜୀବନ ଭିକ୍ଷା କଲେ । ରଘୁ ବେହେରାଙ୍କ ସମେତ ସମସ୍ତେ ଭଗବାନ ଜଗନ୍ନାଥଙ୍କୁ ପିଲାଟିର ଜୀବନ ଭିକ୍ଷା କଲାପରେ ପିଲାଟି ପୁଣି ଜୀବଦାନ ପାଇପାରିଥିଲା ।

💎କରମା ବାଈ💎


କରମା ବାଈ ଜଗନ୍ନାଥଙ୍କୁ ନିଜ ପୁଅ ପରି ବ୍ୟବହାର କରୁଥିଲା । ତା ଭକ୍ତିରେ ଏତେ ଶକ୍ତି ଥିଲାଯେ, ସ୍ବୟଂ ଜଗନ୍ନାଥ ତା’ ଘରକୁ ଖେଚୁଡି ଖାଇବାକୁ ଯାଉଥିଲେ । ଦିନେ ଚଳୁରେ ଜଗନ୍ନାଥ ଦେଖାନଯିବାରୁ ବଡପଣ୍ଡା ଅଧିଆ ପଡିଲେ । ମହାପ୍ରଭୂ ତାଙ୍କୁ ଦର୍ଶନ ଦେଇ କହିଲେ ଯେ, ସେ କରମା ବାଈ ଘରେ ଖେଚୁଡି ଖାଉଛନ୍ତି । ତା’ ପରଦିନ ବଡପଣ୍ଡା କରମା ବାଈ ଘରେ ପହଁଚି ଦେଖନ୍ତି ତ ସେ ଚୂଲୀରେ ଖେଚୁଡି ବସେଇଛି । ଆଉ ମଝିରେ ମଝିରେ ସେ ଦାନ୍ତ ଘସୁଥିବା ଦାନ୍ତକାଠିର ପଛପାଟେ ସେ ଖେଚୁଡିକୁ ଘାଣ୍ଟିଦେଉଛି । ଭୀଷଣ ରାଗିଗଲେ ବଡପଣ୍ଡା । କିଛି ସମୟପରେ ମହାପ୍ରଭୂ ନିଜେ ଆସିଲେ କରମା ବାଈ ଘରକୁ ଖେଚୁଡି ଖାଇବାକୁ । ଲୁଚି ଲୁଚି ବଡପଣ୍ଡା ଦେଖୁଥାଆନ୍ତି, ଅତି ସ୍ନେହରେ କରମା ଜଗନ୍ନାଥଙ୍କୁ ଖେଚୁଡି ଖୁଆଉଛି ଆଉ ଭକ୍ତବତ୍ସଳ ବି ଅତି ଆଗ୍ରହରେ ତାକୁ ଖାଉଛନ୍ତି । ଏହା ଦେଖି ବଡପଣ୍ଡା ମନେମନେ ଭାବିଲେ, ”ଧନ୍ୟ ତୁ କରମା…..ଧନ୍ୟ ।” କରମା ବାଈର ମୃତ୍ୟୁପରେ ଜଗନ୍ନାଥଙ୍କ ଆଖିରୁ ଲୁହ ଝରିଲା । ସେ କରମାର ଖେଚୁଡିକୁ ଝୁରିହେଲେ । ରାଜାଙ୍କୁ ସ୍ବପ୍ନାଦେଶ ହେଲା । ଆଜି ମଧ୍ୟ ମହାପ୍ରସାଦ ପୂର୍ବରୁ ଜଗନ୍ନାଥଙ୍କ ପାଖରେ ଖେଚୁଡି ଲାଗି ହୁଏ । ଆଉ ଯେଉଁ ହାଣ୍ଡିରେ ସେ ଖେଚୁଡି ରନ୍ଧାହୁଏ, ତାକୁ ”ବାଈହାଣ୍ଡି” ବୋଲି କୁହାଯାଏ ।
ଖାଲି ଏତିକି ନୁହେଁ ଭକ୍ତବତ୍ସଳଙ୍କ ଭକ୍ତଙ୍କ କଥା କହିଲେ ସରିବନି । ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ, ଅନନ୍ତ, ଅଚ୍ୟୁତ ଏପରି କେତେ ଭକ୍ତ କଳାସାଆନ୍ତଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟଲାଭ କରିଛନ୍ତି । ଯୁଗେଯୁଗେ ଜଗନ୍ନାଥ ଯେ ଭକ୍ତର ଭାବରେ ବନ୍ଧା, ଏହା ପ୍ରତିପାଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *