ରାଜ୍ୟ

ତିଗିରିଆ ରାଜମାତା ରାସମଞ୍ଜରୀ ଦେବୀଙ୍କ ୯୬ ବର୍ଷ ବୟସରେ ପରଲୋ

ତିଗିରିଆ: କଟକ ଜିଲ୍ଲା ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ତଥା ଏକମାତ୍ର ମହିଳା ବିଧାୟିକା, ପୂର୍ବତନ କଟକ ଜିଲ୍ଲାପରିଷଦ ଉପସଭାପତି, ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ତଥା ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ରାଜମାତା ରାସମଞ୍ଜରୀ ଦେବୀଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ବହୁଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ରାଜମାତା ରାସମଞ୍ଜରୀ ଗତକାଲିଠାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଶେଷ ସମୟରେ ରାଜା ବୀରପ୍ରତାପ କ୍ଷତ୍ରୀୟ ବୀରବର ଚମୁପତି ସିଂହ ମହାପାତ୍ର, କୁମାର ସାହେବ ଏୟାର୍‌ ଇଣ୍ଡିଆର ଅବସରପ୍ରାପ୍ତ ମ୍ୟାନେଜର୍‌ ବିଜୟପ୍ରତାପ ସିଂହଦେଓ, ମଝିଆ ଜେମା କବିତା ଦେବୀ, ଜ୍ବାଇଁ ରଣେନ୍ଦ୍ରପ୍ରତାପ ସିଂହଦେଓ, ସାନ ଜେମା ମମତା ଦେବୀଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜିଗଡ଼ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

ସୋନପୁର ମହାରାଜା କୁମାର ଯଶୋବନ୍ତ ସିଂହଦେଓ ଓ ମହାରାଣୀ ତ୍ରିଦୋଶେଶ୍ୱରୀଙ୍କ ଏକମାତ୍ର ଝିଅ ରାସମଂଜରୀ ୧୯୨୭, ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୪୪ ମସିହାରେ ସେ ତିଗିରିଆ ଗଡ଼ଜାତର ଶାସକ ରାଜା ରାଜଶ୍ରୀ ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ। ତତ୍କାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ରାସମଞ୍ଜରୀ ଦେବୀ ୧୯୬୭ ମସିହାରେ ରାଜନୀତିକୁ ଆସିଥିଲେ। ୧୯୭୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍‌ ତଥା ସମଗ୍ର ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ୧୯୬୯, ୧୯୭୧ ଓ ୧୯୭୪ରେ କ୍ରମାଗତ ତିନିଥର ଆଠଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ସେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ତେବେ ୧୯୭୭ ମସିହାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରସାନନ୍ଦ ସାହୁଙ୍କୁ ପ୍ରାୟ ୬ ହଜାର ୫୦୦ ଭୋଟ୍‌ରେ ପରାସ୍ତ କରି ରାସମଞ୍ଜରୀ ଦେବୀ ୨ ବର୍ଷ ୮ ମାସ ପାଇଁ ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ କାର୍ଯ୍ୟକାଳ ସମୟରେ ସେ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଜନହିତକର କାର୍ଯ୍ୟ କରିଥିଲେ। ସେ ତିଗିରିଆର ଯମୁନାବନ୍ଧ ପାଇଁ ବିଧାନସଭାରେ ପ୍ରସ୍ତାବ ଦେବା, ଅଂଶୁପା ପାଇଁ ବିଧାନସଭାରେ ସ୍ୱର ଉତ୍ତୋଳନ କରିବା ସହ ଅନେକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ରାଣୀ ରାସମଞ୍ଜରୀ ଦେବୀଙ୍କ ପରେ ରାଜ୍ୟର ପ୍ରତିଷ୍ଠିତ ନିର୍ବାଚନମଣ୍ଡଳୀ ଭାବେ ପରିଗଣିତ ଆଠଗଡ଼ରୁ ଅନ୍ୟ କୌଣସି ମହିଳା ବିଧାୟକ ନିର୍ବାଚିତ ହୋଇପାରି ନାହାନ୍ତି। ରାସମଞ୍ଜରୀ ଦେବୀ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍‌ ୧୪ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ କଟକ ଜିଲ୍ଲାପରିଷଦ ଉପ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *