ରାଜନୀତି

୫ଟି ସଚିବଙ୍କୁ କାଳିମାଡ଼ ଘଟଣା : ବିଜେଡିର ନିନ୍ଦା

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି। ଏଥି ସହିତ ଘଟଣା ପଛରେ ‌ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି। ଅନ୍ୟ ପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହା ପ୍ରାୟୋଜିତ ବୋଲି ଦାବି କରିଛନ୍ତି। ବିଜେଡି ନେତା ଲେନିନ୍‌ ମହାନ୍ତି କହିଛନ୍ତି, ପଞ୍ଚସଖାର ମାଟି ତଥା ସାହିତ୍ୟର ମାଟି ‘ସତ୍ୟବାଦୀ’ରେ ୫ଟି ସଚିବଙ୍କ ଉପରକୁ କାଳିମାଡ଼ କରାଯିବା ଘଟଣା ନେଇ ମୁଁ ମର୍ମାହତ। ସୁସ୍ଥ ମସ୍ତିସ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ। ସାଧାରଣ ଲୋକଟିଏ ଯାହା ଚାହୁଁଛି, ଭିକେ ପାଣ୍ଡିଆନ୍‌ ତାହା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିରରେ ଯେଉଁ ବିକାଶ କାମ ହୋଇଛି, ତାହାର ନେତୃତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ। ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ଲୋକଙ୍କ ସହିତ ମିଶୁଛନ୍ତି। ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଛନ୍ତି। ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେହି ଲୋକମାନେ ହିଁ ଏଭଳି କାମ କରୁଛନ୍ତି। ଆଜି ସତ୍ୟବାଦୀରେ ଜଣେ ବ୍ୟକ୍ତି ଲୁଚିଲୁଚି ଆସି ଏଭଳି ଘୃଣ୍ୟ କାମ କରିଛି।ଅନ୍ୟ ଜଣେ ବିଜେଡି ନେତା କହିଛନ୍ତି, ମାଆମାନେ ମୁହଁ ପୋଛି କାଳି ସଫା କରିଥିଲେ। ଭଲ ପାଇବା ଓ ସମର୍ଥନ ଜଣାଇଥିଲେ। ଓଡ଼ିଶାବାସୀ ଶାନ୍ତି ଓ ସଦ୍‌ଭାବନାରେ ବିଶ୍ବାସ ରଖନ୍ତି। ଏଭଳି ଘଟଣା ଓଡ଼ିଶାବାସୀ କେବେ ସହିପାରିବେ ନାହିଁ। ନାରୀଶକ୍ତି ଏହାକୁ ତୀବ୍ର ବିରୋଧ କରିଛି। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବିଜେପି କର୍ମୀଙ୍କ ଏହା ଏକ ନିନ୍ଦନୀୟ ଘଟଣା। ବିକାଶର ଗତିରୋଧ ପାଇଁ ଏଭଳି କରିଛନ୍ତି। ସତ୍ୟବାସୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଅଭିଯୁକ୍ତ ଭାସ୍କର ସାହୁ ଘୃଣ୍ୟ କାମ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ସମର୍ଥନରେ ସମିତି ସଭ୍ୟ ପ୍ରାର୍ଥୀ ଥିଲା।

Leave a Reply

Your email address will not be published. Required fields are marked *