ଅପରାଧ

ଢ଼ାବା ମାଲିକ ଓ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ଼, ଜଣେ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ସରକାରୀ ଧର୍ମକଣ୍ଟା ନିକଟସ୍ଥ ଢ଼ାବାରେ ଆଜି ରାତି ପ୍ରାୟ ୯ଟାରେ ଗୁଳିକାଣ୍ଡ ହୋଇଛି। ପାଞ୍ଚ  ଜଣ ଅସାମାଜିକ ଯୁବକ ଢ଼ାବା ମାଲିକ ରମେଶ ଚାତମ୍ବା ଓ ତାଙ୍କ ସହଯୋଗୀ ରାମ ପୂର୍ତ୍ତିକୁ ୪ରୁ୬ ରାଉଣ୍ଡ ଗୁଳି କରିଥିଲେ। ଉଭୟ ଛାତି ଓ ପେଟରେ ଗୁଳି ବାଜିବାରୁ ଦୁହେଁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ପରେ ଅସାମାଜିକ ଯୁବକମାନେ ମୋଟରବାଇକ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ପ୍ରଥମେ ଯୋଡା ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ରାମ ପୂର୍ତ୍ତିଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଢ଼ାବା ମାଲିକ ରମେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଯୋଡା ହସ୍ପିଟାଲରୁ କଟକ ଏସ୍‌ଇବିକୁ ସ୍ଥାନାନ୍ତର କରାଯାଇଛି। କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁହା ପଥର ଚୋରା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥାଏ ବୋଲି ଅନୁମାନ କରାଯାଉଛି। ଗୁଳିକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତବାରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *