ମୁଖ୍ୟ ଖବର

ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି”ଆପ”ର ଦେଶବ୍ୟାପୀ ପ୍ରତିବାଦ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି ‘ଆପ୍‌’ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଦେଶର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ରୂପ ଦେଉଥିବା ମହାନ୍‌ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଛି। ଏହି ଗିରଫଦାରି ବିରୁଦ୍ଧରେ ‘ଆମ୍‌ ଆଦ୍‌ମୀ ପାର୍ଟି’ ସମଗ୍ର ଦେଶରେ ପ୍ରତିବାଦ ପ୍ରଦର୍ଶନ କରିବ।

ଏଥିପାଇଁ, ଦିଲ୍ଲୀରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ‘ବିଜେପି’ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ‘ଆପ୍‌’ ପ୍ରସ୍ତୁତି କରୁଛି। ପ୍ରତିବାଦ ପୂର୍ବରୁ ‘ଆପ୍‌’ କର୍ମୀ ଓ ସମର୍ଥକମାନେ ଦଳର ମୁଖ୍ୟାଳୟରେ ସମବେତ ହେବେ।

‘ଆପ୍‌’ର ଅନ୍ୟତମ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରି ଓ ଆଦାନିଙ୍କ ସହିତ ବନ୍ଧୁତା ବିରୋଧରେ ଆଜି ସମଗ୍ର ଦେଶରେ ‘ଆପ୍‌’ କଳା ଦିବସ ପ୍ରଦର୍ଶନ କରିବ।

ସିସୋଦିଆଙ୍କ ଗିରଫଦାରି ସଂକ୍ରାନ୍ତରେ ‘ବିଜେପି’ ସାଂସଦ ମନୋଜ ତିୱାରି କହିଛନ୍ତି, କେବଳ ମଦ ଦୁର୍ନୀତିରେ ଭୂମିକା ଗ୍ରହଣ କରିଥିବାରୁ ନ‌ୁହେଁ, ପ୍ରମାଣ ନଷ୍ଟ କରିଥିବାରୁ ମଧ୍ୟ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ଏହି ଦୁର୍ନୀତିର ‘ମାଷ୍ଟର୍‌ମାଇଣ୍ଡ୍‌’ଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଦୋଷୀମାନଙ୍କୁ ଆଇନ ବିହିତ ଶାସ୍ତି ମିଳିବ।

ସେପଟେ, ଗିରଫ ହୋଇଥିବା ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କୁ ଆଜି ରାଜସ୍ବ ଅଦାଲତରେ ହାଜର କରାଯିବ। ତା’ଆଗରୁ ‘ସିବିଆଇ’ ମୁଖ୍ୟାଳୟରେ ମନୀଷ ସିସୋଦିଆଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

ଗତକାଲି ମନୀଷଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌ ତାଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କୁ ଭେଟିବା ସହିତ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *