ଦେଶ- ବିଦେଶ

ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ଉଭୟ ରାଜ୍ୟରେ ସକାଳ ୭ଟା ବେଳେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍‌ର ୨,୨୯୧ ମତଦାନ କେନ୍ଦ୍ର ବାହାରେ ‌ଲୋକେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି। ସମୁଦାୟ ୬୦ଟି ଆସନରୁ ଆଜି ୫୯ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଉଛି। ଏହି ଆସନଗୁଡ଼ିକରୁ ୧୮୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫୯ଜଣଙ୍କୁ ଚୟନ କରିବେ ୧୩ ଲକ୍ଷରୁ ଅଧିକ ଭୋଟର୍‌।ଚଳିତ ନିର୍ବାଚନରେ ରାଜ୍ୟରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪ଜଣ ମହିଳା ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି ଜିଣି ଯିବେ ତା’ହେଲେ ରାଜ୍ୟର ପ୍ରଥମ ବିଧାୟିକା ଭାବେ ସେ ସ୍ମରଣୀୟ ହୋଇ ରହିବେ। ପ୍ରତିଦ୍ବନ୍ଦ୍ବିତା କରୁଥିବା ୪ଜଣ ପ୍ରାର୍ଥିନୀ‌ ହେଲେ: ଦିମାପୁର-୩ ଆସନର ‘ଏନ୍‌ଡିପିପି’ ପ୍ରାର୍ଥିନୀ ହେଖାନି ଜାଖାଲୁ, ତେନିଙ୍ଗ୍‌ ଆସନର କଂଗ୍ରେସ ପ୍ରାର୍ଥିନୀ ରୋଜି ଟମ୍‌ସନ୍‌, ପଶ୍ଚିମାଞ୍ଚଳ ଅନଗାମି ଆସନର ‘ଏନ୍‌ଡିପିପି’ ପ୍ରାର୍ଥିନୀ ସାଲ୍‌ହୌତୁଓନୁଓ ଏବଂ ଅଟୌଜିଉ ଆସନର ‘ବିଜେପି’ ପ୍ରାର୍ଥିନୀ କହୁଲି ସେମା।

ସେହିପରି, ୬୦ ଆସନବିଶିଷ୍ଟ ମେଘାଳୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ୩,୪୧୯ଟି ବୁଥ୍‌ରେ ମଧ୍ୟ ଭୋଟ୍‌ ଗ୍ରହଣ କରାଯାଉଛି। ସେଥିରୁ ପ୍ରାୟ ୬୪୦ଟି ବୁଥ୍‌କୁ ‘ଭଲ୍‌ନେରାବ୍ଲ୍‌’ (ବିପଦୋନ୍ମୁଖ) ଏବଂ ୩୨୩ ବୁଥ୍‌କୁ ‘କ୍ରିଟିକାଲ୍‌’ (ଜଟିଳ) ବୋଲି ଘୋ‌ଷଣା କରାଯାଇଛି। ସବୁ ବୁଥ୍‌ରେ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍‌. ଆର୍‌. ଖାର୍କୋନ୍‌ଗୋର୍‌ କହିଛନ୍ତି।

ଏଥର ନିର୍ବାଚନରେ ଶାସକ ‘ଏନ୍‌ପିପି’ ୫୬ଟି ଆସନ, କଂଗ୍ରେସ ୫୯ଟି ଆସନ, ତୃଣମୂଳ କଂଗ୍ରେସ ୫୭ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏହି ନିର୍ବାଚନରେ ୩୬ଜଣ ମହିଳା ଏବଂ ୪୪ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ସମୁଦାୟ ୩୬୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟର ଭୋଟ୍‌ଦାତାଙ୍କ ସଂଖ୍ୟା ହେଉଛି ୨୧,୭୫,୨୩୬ ଭୋଟର୍‌।

Leave a Reply

Your email address will not be published. Required fields are marked *