ଦେଶ- ବିଦେଶ

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ

ନୂଆଦିଲ୍ଲୀ,: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି। ବ୍ରିକ୍ସ ସଦସ୍ୟ ଦେଶମାନେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ମହାନ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସବୁ ଦିଗରୁ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ମାତ୍ର ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଚାଇନା ବୋଧହୁଏ ଭାରତର ଏହି ସଫଳତାରେ ଖୁସି ନୁହନ୍ତି। ଏକଥା ଆମେ କହୁନାହୁଁ କିନ୍ତୁ ସେଠାରେ ଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକର ରିପୋର୍ଟକୁ ଦେଖି ଯାହା ଜଣାପଡୁଛି।ବାସ୍ତବରେ ବିଶ୍ୱର ସମସ୍ତ ପ୍ରମୁଖ ଗଣମାଧ୍ୟମ ସଂଗଠନ ଚନ୍ଦ୍ରୟାନ-୩ର ସଫଳତାର ଖବରକୁ ସେମାନଙ୍କ ପୃଷ୍ଠାରେ ସ୍ଥାନିତ କରିଛନ୍ତି। ଚାଇନା ଏବଂ ପାକିସ୍ତାନ ଏକମାତ୍ର ଦେଶ ଯେଉଁଠାରେ ଚନ୍ଦ୍ରୟାନ-୩ର ସଫଳତାର ଖବରକୁ ସେମାନଙ୍କ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇନାହାନ୍ତି। ନ୍ୟୁୟର୍କ ଟାଇମ୍ସ, ବିବିସି, ଦି ଗାର୍ଡିଆନ ଭଳି ବଡ଼ ମିଡିଆ ସଂଗଠନ ଭାରତର ଚନ୍ଦ୍ରୟାନକୁ ପ୍ରଶଂସା କରିଥିଲେ।ଅଲ୍‌ଜାଜିରା ପରି ଆରବ ଦେଶର ମିଡିଆ ଗ୍ରୁପ୍‌ ଚନ୍ଦ୍ରୟାନ-୩ ଅବତରଣର ପ୍ରସାରଣ ପାଇଁ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଲାଇଭ୍‌ ବ୍ଲଗ ଚଳାଇଥିଲା। କିନ୍ତୁ ପାକିସ୍ତାନର ପ୍ରମୁଖ ଖବର କାଗଜ ସଂଗଠନ ଚନ୍ଦ୍ରାୟନ-୩ପ୍ରତି ଧ୍ୟାନ ଦେଇ ନ ଥିଲେ। ସେଠାରେ ଚନ୍ଦ୍ରୟାନ-୩ ସମ୍ବନ୍ଧୀୟ ଖବର ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଥିଲା କିନ୍ତୁ ଏହାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦିଆଯାଇ ନ ଥିଲା। ଏହା ପାକିସ୍ତାନର ଛୋଟ ଚିନ୍ତାଧାରାକୁ ଦର୍ଶାଏ। ଚାଇନା ମଧ୍ୟ ପାକିସ୍ତାନଠାରୁ ଗୋଟିଏ ପାଦ ଆଗରେ ଥିବା ଜଣାପଡ଼ିଛି। ବଡ଼ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଓ୍ବେବ୍‌ସାଇଟ୍‌ରେ ଚନ୍ଦ୍ରୟାନ-୩ର ସଫଳତା ବିଷୟରେ କୌଣସି ଖବର ପ୍ରକାଶ ପାଇନାହିଁ। ୩ ଦିନ ପୂର୍ବେ ରୁଷିଆ ଲୁନା-୨୫ ଦୁର୍ଘଟଣା ସମ୍ପର୍କରେ ଏହି ଚାଇନିଜ୍‌ ପ୍ରତିଷ୍ଠାନ ନିଶ୍ଚିତ ଭାବରେ ଏକ ଖବର ପ୍ରକାଶ କରିଛି। ଏହାର ଟାଇଟଲ ହେଉଛି ‘ଲୁନା-୨୫ ବିଫଳତା ପରେ ରୁଷିଆକୁ ଅଣଦେଖା କରନ୍ତୁ ନାହିଁ’।ଯଦି ଆମେ ସୋସିଆଲ ମିଡିଆକୁ ଦେଖିବା ତେବେ ପାକିସ୍ତାନର ଲୋକମାନେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟର (ବର୍ତ୍ତମାନ ଏକ୍ସ) ଏବଂ ଫେସ୍‌ବୁକ୍‌ରେ ପାକିସ୍ତାନର ଲୋକମାନେ ଭାରତର ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଏପରିକି ୨୦୧୯ରେ ଭାରତର ଚନ୍ଦ୍ର ମିଶନର ବିଫଳତାକୁ ଦେଖି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ମଧ୍ୟ ବୁଧବାର ଭାରତର ଚନ୍ଦ୍ରୟାନଙ୍କୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *