ରାଜ୍ୟ

ରୋହିଆ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଯୁବଶକ୍ତି ଅଭିଯାନ

ଜଗତସିଂହପୁର; : ଗତ କ୍ରାନ୍ତି ଦିବସରେ ଐତିହାସିକ ଅଳକା ଆଶ୍ରମ ଓ ଜଗତିଂହପୁର ବିକାଶ ମଞ୍ଚ ଆନୁକୁଲ୍ୟରେ ଆବାହକ ଦେବେନ୍ଦ୍ର ନାଥ ରାଉତଙ୍କ ଆହ୍ଵାନ କ୍ରମେ ଆରମ୍ଭ ହୋଇଥିବା ନିଶାମୁକ୍ତ ଯୁବଶକ୍ତି ସଚେତନତା ଅଭିଯାନ ଏକ ନୂତନ କ୍ରାନ୍ତି ଭାବରେ ଜଗତସିଂହପୁର ଜିଲ୍ଲାରେ ଆବିର୍ଭାବ ହେବାରେ ଲାଗିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସାମିଲ ହୋଇ ପିଲାମାନଙ୍କୁ ନିଶା ସେବନର ଅପକାରିତା ଉପରେ ବିଶେଷଜ୍ଞ ଦ୍ବାରା ଆଲୋଚନା ରଖିବା ପରେପରେ ଜୀବନରେ ନିଶା ସେବନ ନକରିବା ପାଇଁ ପରାମର୍ଶ ଦିଆଯାଉଛି ଓ ଶପଥ ପାଠ କରାଉଛନ୍ତି। ନାଉଗାଁ ବ୍ଲକର ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କର୍ମଶାଳା ଆୟୋଜନ କରାଯାଇ ଦୁଇ ଶହରୁ ଊର୍ଦ୍ଧ୍ବ ପିଲାଙ୍କୁ ଶପଥ ପ୍ରଦାନ କରାଯାଇଛି। ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ନିଶା ସେବନର କୁପରିଣାମ ବିଷୟରେ ବିଶଦ ଭାବରେ ବୁଝାଇ ଥିଲେ ଓ ଜୀବନରେ ନିଶା ସେବନ ନକରିବା ଓ ନିଜ ପରିବେଶକୁ ନିଶା ଠାରୁ ଦୂରେଇ ରଖିବା ପାଇଁ ଶପଥ ପାଠ କରାଇଥିଲେ। ଆବାହକ ଶ୍ରୀ ରାଉତ ନିଶା ଠାରୁ ଦୂରେଇ ରହି ଏକ ସୁସ୍ଥ ଓ ସଶକ୍ତ ଯୁବ ପିଢ଼ିର ପରିକଳ୍ପନା ସତ୍ୟରେ ପରିଣତ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଆବଶ୍ୟକ ବୋଲି ମତ ଦେଇଥିଲେ। ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରାଙ୍କ ଅଧ୍ୟକ୍ଷତାରେ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି ଶପଥ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ହିତେଶ କୁମାର ମହାନ୍ତି, ପ୍ରତାପ କୁମାର ଲେଙ୍କା, ପୂର୍ବତନ ଛାତ୍ର ସଂସଦର ସଭାପତି ଅର୍ଜୁନ ଚରଣ ରାଉତ, ଅଳକା ଆଶ୍ରମର କର୍ମକର୍ତ୍ତା ସ୍ନେହମୟୀ ଆଚାର୍ଯ୍ୟ, ଡ଼ଃ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଏହି ସପଥ ସମାରୋହରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଳକା ଆଶ୍ରମର ସଦସ୍ୟମାନେ ପରିଚାଳନା କରିଥଲେ।

Leave a Reply

Your email address will not be published. Required fields are marked *