ଅପରାଧ

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ ଡିଏ (ମହଙ୍ଗା ଭତ୍ତା) ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ଅଜୟ ଖୁଣ୍ଟିଆ।

ସୂଚନା ଅନୁସାରେ ଅଜୟ ଖୁଣ୍ଟିଆ ସଇଁତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି। ସେ ୬୦ ଜଣ ଶିକ୍ଷକଙ୍କୁ ଜାତୀୟ ପେନସନ ଯୋଜନାର ଡିଏ ଟଙ୍କା ଅନୁମୋଦନ କରିବା ପାଇଁ ୧୮ ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ। ଆକାଉଣ୍ଟାଣ୍ଟଙ୍କ ଠାରୁ ଟଙ୍କା ପାଇବା ପାଇଁ ବାରମ୍ବାର ନିରାଶ ହେବା ପରେ ସଇଁତଲା ବ୍ଳକ ଲମକାନି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଆକାଉଣ୍ଟାଣ୍ଟଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଆଜି ସହଦେବ ଦନ୍ତାଙ୍କ ଠାରୁ ଶ୍ରୀ ଖୁଣ୍ଟିଆ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳ  ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ସମ୍ବଲପୁର ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆକାଉଣ୍ଟାଣ୍ଟକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *