ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗି ଚାଲିଛି ସନ୍ନିଙ୍କ ’ଗଦର-୨’: ଦ୍ବିତୀୟ ସପ୍ତାହରେ ରୋଜଗାର କଲାଣି ୧୩୪ କୋଟି ଟଙ୍କା
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସନି ଦେଓଲଙ୍କ ‘ଗଦର-୨’ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି। ଫିଲ୍ମଟି ଦିନକୁ ଦିନ ଅଧିକରୁ ଅଧିକ ରୋଜଗାର କରିଚାଲିଛି। ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ‘ଗଦର-୨’ । ଫିଳ୍ମଟି ପ୍ରଥମ ସପ୍ତାହରେ ୨୮୦ କୋଟି ଟଙ୍କାର ରୋଜଗାର କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ବି କମାଲ୍ କରିଛି। ଫିଲ୍ମର ଦ୍ବିତୀୟ ସପ୍ତାହର ଆୟ ‘ଦଙ୍ଗଲ’ ଓ ‘କଶ୍ମୀର ଫାଇଲ୍ସ’ ପରି ଫିଲ୍ମକୁ ପଛରେ ପକାଇଛି।ଗଦର-୨’ ଅଷ୍ଟମ ଦିନରେ ୩୦୦ କୋଟି ଟଙ୍କାର ଆୟ କରି ପ୍ରଥମେ ରେକର୍ଡ କରିଥିଲା। ଏତେ କମ୍ ଦିନରେ ସନ୍ନି ଦେଓଲଙ୍କ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ୧୦ଟି ଫିଲ୍ମ ତାଲିକାରେ ନାମ ଲେଖାଇ ସାରିଛି। ଗୁରୁବାରର ଆୟ ପରେ ଫିଲ୍ମରେ ଥିଏଟର୍ରେ ୨ ସପ୍ତାହ ପୂରା କରିଛି।ଯେଉଁଠି ଗୋଟାଏ ସପ୍ତାହର ବେପାର ପରେ ବଡ଼ ବଡ଼ ଫିଲ୍ମର ବି ଆୟ ମାନ୍ଦା ହେବାକୁ ଲାଗେ, ସେଇଟି ‘ଗଦର-୨’ କିନ୍ତୁ ଭିନ୍ନ ମୋଡ଼ରେ ଯାଉଛି। ସିନେମାଟି ସପ୍ତାହର ଶେଷ ଦିନରେ ୮ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାରେ ସମର୍ଥ ହୋଇଛି। ୧୪ ଦିନ ମଧ୍ୟରେ ‘ଗଦର-୨’ର କଲେକ୍ସନ ଭାରତରେ ୪୧୯ କୋଟି ଟଙ୍କା ହୋଇଛି। ଏହି ଫିଲ୍ମଟି କଳାକାରମାନଙ୍କ ପରି ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ କ୍ୟାରିୟର୍ର ବି ସବୁଠାରୁ ବଡ଼ ଫିଲ୍ମ ବନିସାରିଛି।ବଲିଉଡ୍ର ସବୁଠାରୁ ବଡ଼ ଫିଲ୍ମ ଭାବେ ରେକର୍ଡ କରିଥିବା ‘ବାହୁବଳୀ-୨’ ଦ୍ବିତୀୟ ସପ୍ତାହରେ ୧୪୩ କୋଟି ଟଙ୍କାର ଆୟ କରିଥିବା ବେଳେ ‘ଦଙ୍ଗଲ’ ୧୧୬ ଏବଂ ‘କଶ୍ମୀର ଫାଇଲ୍ସ’ ୧୦୯ କୋଟି ଟଙ୍କାର ବେପାର କରିଥିଲା। ‘ଦଙ୍ଗଲ’ ଓ ‘କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ‘ଗଦର-୨’ ୧୩୪ କୋଟି ଟଙ୍କାର ବେପାର କରିଛି।