ଦେଶ- ବିଦେଶରାଜ୍ୟ

ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା କୃଷ୍ଣଚନ୍ଦ୍ରଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର

ରାୟଗଡା/ଭବାନୀପାଟଣା: ଦାଦନରୁ ଡାକ୍ତରୀ ଛାତ୍ର ହୋଇପାରିଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଅତି ନିପଟ୍ଟ ଆଦିବାସୀ ଗାଁ ଛୁଆପାଡ଼ିର କୃଷ୍ଣଚନ୍ଦ୍ର ଆଟାକାଙ୍କୁ ସରକାରୀ ସହାୟତା ମିଳିଛି। କୃଷ୍ଣଚନ୍ଦ୍ରଙ୍କ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।କୃଷ୍ଣଚନ୍ଦ୍ର ପିଲାଟି ଦିନରୁ ପାଠ ପଢ଼ିବା ପ୍ରତି ଆଗ୍ରହ ରହିଥିବା ବେଳେ ସେ ୨୦୦୬ରେ ଆମ୍ବାଦୋଳା ସରକାରୀ ହାଇସ୍କୁଲରେ ପାଠ ପଢି ମ୍ୟାଟ୍ରିକ ପାସ କରିଥିଲେ। ଖଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢି ଦ୍ବିତୀୟ ଶ୍ରେଣୀରେ ପାସ କରିଥିଲେ। ଆଗକୁ ପାଠ ପଢିବା ପାଇଁ ଟଂକା ନଥିବାରୁ ବାପାଙ୍କୁ ଚାଷ କାମରେ ସହଯୋଗ କଲେ।ପାଠ ପଢିବାର ଇଛା ବାପାଙ୍କୁ ଅବଗତ କରାଇଥିଲେ ମଧ୍ୟ ବାପାଙ୍କର ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ପୁଅ କୃଷ୍ଣଙ୍କ ଇଛାକୁ ପୂରଣ କରିପାରିନଥିଲେ।କୃଷ୍ଣଚନ୍ଦ୍ର ଟଙ୍କା ରୋଜଗାର କରି ପାଠ ପଢ଼ିବା ପାଇଁ ମନସ୍ତ କରି ୨୦୧୨ରେ କେରଳ ଯାଇଥିଲେ। ପ୍ରଥମେ ସେ ଇଟାଭାଟିରେ କାମ କଲେ। ସେଠାରେ ତାଙ୍କୁ ଦିନକୁ ୩୫୦ ଟଙ୍କା ମିଳୁଥିଲା। ସେଠାରେ କିଛି ଦିନ କାମ କରିବା ପରେ ସେ କୋଟାୟମ ଠାରେ ପହଞ୍ଚି ଦିଆସିଲି କାରଖାନାରେ କାମ କଲେ। ସେଠାରେ ତାଙ୍କୁ ଖାଇବାକୁ ଦେବା ସହ ଦିନକୁ ୨୫୦ ଟଂକା ପାରିଶ୍ରମିକ ଦିଆଗଲା। ୨୦୧୪ରେ ସେ ପୁଣି ନିଜ ଘରକୁ ଫେରିଆସିଥିଲେ। ଏଠାରେ ରହି କାମଧାନ କରିବା ପରେ ସେ ୨୦୧୮ ମସିହାରେ ବିବାହ କରିଥିଲେ। ତାଂକର ବର୍ତ୍ତମାନ ଦୁଇଟି ସନ୍ତାନ ଅଛନ୍ତି। ନିଜ ଅଂଚଳରେ ଲୋକେ ଅଜଣା ରୋଗରେ ମରୁଥିବା ବେଳେ ମ୍ୟାଲେରିଆ ଏବଂ ଅନ୍ୟ ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ସେ ଡାକ୍ତରୀ ପାଠ ପଢିବାକୁ ପୁଣି ଇଛା ପ୍ରକଟ କରି ୨୦୨୧ ମସିହାରେ ଏନସିଇଆରଟି ବହି କିଣି ଆଣି ପାଠ ପଢ଼ିବା ଆରମ୍ଭ କରିଥିଲେ।୨୦୨୨ରେ ସେ ନିଟ୍‌ ପରୀକ୍ଷା ଦେଇ ବିଫଳ ହେବା ପରେ ୨୦୨୩ରେ ସଫଳ ହୋଇଥିଲେ। କିନ୍ତୁ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବାକୁ ତାଙ୍କ ନିକଟରେ ସମ୍ବଳ ନଥିଲା। ତେଣୁ ସେ ଗାଁ ସାହୁକାର ନୀଳମାଧବ ହିକକାଙ୍କଠାରୁ ୩୭ ହଜାର ୯୦୦ ଟଙ୍କା ଧାର ଆଣି ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖାଇଥିଲେ। ସାହୁକାରଠାରୁ ଧାର ଆଣି ଡାକ୍ତରୀ ପଢ଼ିବାକୁ ଆସିଥିବା ବେଳେ ବିନା ସୁଧରେ ଟଙ୍କା ଫେରସ୍ତ ପାଇଁ ସେ ରାଜି ହୋଇଥିବା କହିଛନ୍ତି। ବର୍ତ୍ତମାନ ହଷ୍ଟେଲ ପାଇଁ ୨୫ ହଜାର ଟଙ୍କା ଦରକାର ଥିବାରୁ ତାହା ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ତାଙ୍କର ୪ ଭାଇ ଓ ଜଣେ ଭଉଣୀ ଅଛନ୍ତି।ଏନେଇ ଖବର ପ୍ରଚାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଜାଣିବା ପରେ ତାଂକୁ ତୁରନ୍ତ ଭୁବନେଶ୍ବର ଡକାଇଥିଲେ। ୫ଟି ସଚିବ ଭିକେ ପାଣ୍ଡିଆନ କୃଷ୍ଣଚନ୍ଦ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସମସ୍ତ ସହଯୋଗ କରିବେ ବୋଲି କହିଥିବା ସେ କହିଥିଲେ। କୃଷ୍ଣଚନ୍ଦ୍ର ଭବାନୀପାଟଣାର ସହିଦ ରେଣ୍ଡା ମାଝୀ ସରକାରୀ ମେଡିକାଲ କଲେଜରେ ପାଠ ପଢିବେ ବୋଲି କହିଛନ୍ତି। ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ପାଠ ପଢିବା ପରେ ଡାକ୍ତର ହୋଇ ନିଜ ଅଂଚଳର ସେବା କରିବେ ବୋଲି ସମ୍ବାଦକୁ କହିଛନ୍ତି।

Leave a Reply

Your email address will not be published. Required fields are marked *