ରାଜ୍ୟ

ରାସ୍ତା ଦବି ଯାଇ ଫାଟ ସୃଷ୍ଟି

ଭଦ୍ରକ : ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକଠାରୁ ଆଗରପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଦିନକୁ ଦିନ ଦବି ଯାଉଛି। ଏହି ୧୪ କି.ମି ରାସ୍ତାର ନବୀକରଣ ୧୨ ବର୍ଷ ତଳେ ୪୨ କୋଟି ଟଙ୍କା ଅଟକଳରେ ହୋଇଥିଲା। ରାସ୍ତା ଦବି ଯାଇ ଫାଟ ସୃଷ୍ଟି ହୋଇଛି। ଏହି ଫାଟକୁ ପ୍ରତ୍ୟେକ ବର୍ଷ କାଁ ଭାଁ ମରାମତି  କରାଯାଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ନିମ୍ନମାନର କାର୍ଯ୍ୟ ହେତୁ ବର୍ଷଟିଏ ମଧ୍ୟରେ ପୁଣି ଫାଟ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ବାଲେଶ୍ୱର ଜିଲା କୁପାରୀରୁ ମୋରମ, ମେଟାଲ ଓ ଚିପ୍ସ ବୋଝେଇ ଶତାଧିକ ଭାରିଯାନ ଦୈନିକ ଯାତାୟାତ କରୁଥିବାରୁ ଦିନକୁ ଦିନ ଅଧିକ ପରିମାଣରେ ରାସ୍ତା ଦବିଯାଉଛି। ଏହି ଅଣଓସାରିଆ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବାରୁ ପ୍ରତ୍ୟେହ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏହି ବ୍ୟସ୍ତବହୁଳ ରାସ୍ତା ଉପରେ ଭଦ୍ରକ ଜିଲାର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଅଧିକାଂଶ ଲୋକ ଦୈନନ୍ଦିନ ଯିବା ଆସିବା କରନ୍ତି। ଏହି ରାସ୍ତାକୁ ଦୁଇଥାକିଆ ରାସ୍ତାରେ ପରିଣତ କରିବା ପାଇଁ ଏକାଧିକ ଥର ଦାବି ହୋଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପରମାନନ୍ଦ ବେହେରା କହିଛନ୍ତି, ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଞ୍ଜୁର ପାଇଁ ଦିଆଯାଇଛି। ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ। ଏହି ଅଟକଳ ମଞ୍ଜୁର ହେବା ପରେ ଟେଣ୍ଡର କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *