ଅପରାଧ

ଗିରଫ ହେଲେ ବିମାନରେ ପରିଚୟ ହୋଇଥିବା ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ବ୍ୟକ୍ତି

ପାନାଜି: ଉତ୍ତର ଗୋଆ ଅନ୍ତର୍ଗତ ଆସୋନୋରା ଗାଁରେ ଥିବା ଏକ ରିସର୍ଟରେ ଜଣେ ମହିଳା ପର୍ଯ୍ୟଟକଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୋଆ ପୁଲିସ ଗୁଜରାଟରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା କଥା ଆଜି ଜଣେ ସରକାରୀ ଅଧିକାରୀ କହିଛନ୍ତି।ଘଟଣା ଅଗଷ୍ଟ ୨୩ ତାରିଖରେ ଘଟିଛି ଏବଂ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୪୭ ବର୍ଷିୟ ଅଭିଯୁକ୍ତ ଲକ୍ଷ୍ମଣ ଶିୟାର୍‌ଙ୍କୁ ଗିରଫ କରିଛନ୍ତି। ଶିୟାର୍‌ ମଧ୍ୟ ଗୋଆ ପର୍ଯ୍ୟଟନରେ ଆସିଥିଲେ ବୋଲି ସରକାରୀ ଅଧିକାରୀଜଣକ କହିଛନ୍ତି।ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୀଓବା ଦଲ୍‌ୱି କହିଛନ୍ତି, ପୀଡ଼ିତା ଓ ଅଭିଯୁକ୍ତଙ୍କର ପୂର୍ବରୁ ଗ‌ୋଟାଏ ବିମାନରେ ପରିଚୟ ହେବା ପରେ ବନ୍ଧୁତା ହୋଇଥିଲା। କଥାବାର୍ତ୍ତା ବେଳେ ଅଭିଯୁକ୍ତ ସେ ମହିଳାଙ୍କ ଫୋନ୍‌ ନମ୍ବର ନେଇଥିଲେ ଓ ତାଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରୁଥି‌ଲେ।ଚଳିତ ସପ୍ତାହ ପ୍ରାରମ୍ଭରେ ପୀଡ଼ିତା ଓ ଅଭିଯୁକ୍ତ ପୃଥକ୍‌ ଭାବେ ଗୋଆ ଭ୍ରମଣରେ ଆସିଥିଲେ। ଆସୋନାରାସ୍ଥିତ ଏକ ରିସର୍ଟରେ ରହୁଥିବା ଅଭିଯୁକ୍ତ ଅଗଷ୍ଟ ୨୩ ତାରିଖ ଦିନ ସେ ମହିଳାଙ୍କ ନିକଟକୁ ଫୋନ୍‌ କରିଥିଲେ। ସେ ଅଞ୍ଚଳର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ପ୍ରଲୋଭିତ କରି ଅଭିଯୁକ୍ତ ତାଙ୍କୁ ରିସର୍ଟକୁ ଡକାଇଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ବୋଲି ସେ କହିଛନ୍ତି।ମହିଳାଜଣକ ଏକାକିନୀ ରିସର୍ଟକୁ ଆସିବା ପରେ ଅଭିଯୁକ୍ତ ତାଙ୍କୁ କୋଠରିକୁ ନେଇଯାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏକଥା କାହାକୁ କହିଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଧମକ ଦେଇଥିଲେ।ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଟିମ୍‌ ଗଠନ କରାଯାଇ ଉତ୍ତର ଗୋଆ ଅନ୍ତର୍ଗତ ମାପୁସା ସହର ନିକଟ ଥିୱିମ୍‌ ଗ୍ରାମରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କିନ୍ତୁ, ପୁଲିସ ପୀଡ଼ିତାଙ୍କ ବୟସ ସଂକ୍ରାନ୍ତରେ ସୂଚନା ଦେଇ ନାହିଁ।

Leave a Reply

Your email address will not be published. Required fields are marked *