ରାଜନୀତି

ଇସ୍ରୋକୁ ନେହେରୁ ପ୍ରତିଷ୍ଠା କରିଥିଲେ : କଂଗ୍ରେସ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବେଙ୍ଗାଲୁରୁରେ ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସିହତ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନର ନାମ ଶିବଶକ୍ତି ରଖାଯାଇଛି ବୋଲି ସେ ଘୋଷଣା କରିଛନ୍ତି।ପିଏମ ମୋଦିଙ୍କ ଏହି ଘୋଷଣା ପରେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟ୍ କହିଛନ୍ତି ଯେ ଇସ୍ରୋ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ ଦେଶକୁ ଗର୍ବିତ କରିଛନ୍ତି। ସେ ଇସ୍ରୋର ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି। ଯେଉଁ ପରମ୍ପରା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଇସ୍ରୋ ପ୍ରତିଷ୍ଠା କରିଥିଲେ ତାହାକୁ ସେ ଆଗକୁ ବଢ଼ାଇଛନ୍ତି। ତ୍ରିରଙ୍ଗାର ମୂଲ୍ୟ ବୃଦ୍ଧି ପାଇଁ ଇସ୍ରୋ ନିରନ୍ତର କାର୍ଯ୍ୟ କରିଆସୁଛି ।

ସୁପ୍ରିୟା ଶ୍ରୀନେଟ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଠି ବି ଯାଆନ୍ତି, ସେ ଶ୍ରେୟ ନେବାକୁ ଚାହାନ୍ତି । ସେ ଦେଇଥିବା ନାମକୁ ନେଇ ମୋର କୌଣସି ଆପତ୍ତି ନାହିଁ। ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଏତେ ବଡ଼ ଅଭିଯାନର ଶ୍ରେୟ ନେବା ଟିକେ ଅନୁଚିତ, ଯାହା ଆମ ବୈଜ୍ଞାନିକମାନେ ହାସଲ କରିଛନ୍ତି । କଂଗ୍ରେସର ଏହି ସମାଲୋଚନାକୁ ନେଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଗତ ବୁଧବାର (ଅଗଷ୍ଟ ୨୩)ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।

Leave a Reply

Your email address will not be published. Required fields are marked *