ଦେଶ- ବିଦେଶ

ପାକିସ୍ତାନରେ ଭୟଙ୍କର ସ୍ଥିତି: ହସ୍ପିଟାଲରେ ଔଷଧ ଅଭାବ

ଇସଲାମାବାଦ : ପାକିସ୍ତାନରେ ଆର୍ଥିକ ଦୁରବସ୍ଥା ଚରମରେ ପହଞ୍ଚିଛି। ସରକାରଙ୍କ ପାଖରେ ଔଷଧ କିଣିବାକୁ ବି ପଇସା ନାହିଁ। ଫଳରେ ପାକିସ୍ତାନର ହସ୍ପିଟାଲଗୁଡ଼ିକରେ ଇନସୁଲିନ, ଡିସ୍ପ୍ରିନ ଓ ଅନ୍ୟ ଜରୁରି ଔଷଧର ଗୁରୁତର ଅଭାବ ଦେଖାଦେଇଛି। ଜରୁରି ଔଷଧ ଅଭାବରୁ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ସର୍ଜରି ହୋଇପାରୁ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ଖାଲି ପଡ଼ିଛି। ଫଳରେ ବିଦେଶରୁ ଔଷଧ କିମ୍ବା ଔଷଧ ତିଆରି ସରଞ୍ଜାମ (ଏପିଆଇ) କିଣିବା ପାଇଁ ପାକିସ୍ତାନ ସକ୍ଷମ ହୋଇପାରୁ ନାହିଁ। ‌ସେଥିପାଇଁ ନିଜ ଦେଶରେ ଯେଉଁସବୁ ଔଷଧ ତିଆରି କରାଯାଏ ତାହା ବି ତିଆରି କରାଯାଇ ପାରୁନାହିଁ। ଔଷଧ ଅଭାବରୁ ହସ୍ପିଟାଲଗୁଡ଼ିକରେ ରୋଗୀ ଶଢ଼ୁଛନ୍ତି। ଔଷଧ ଓ ସରଞ୍ଜାମ ଅଭାବରୁ ଡାକ୍ତରମାନେ ସର୍ଜରି କରିପାରୁ ନାହାନ୍ତି।

ପାକିସ୍ତାନ ମିଡ଼ିଆ ରିପୋର୍ଟ ଅନୁସାରେ ହସ୍ପିଟାଲଗୁଡ଼ିକରେ ଗଚ୍ଛିତ ଥିବା ସର୍ଜରି ପାଇଁ ଆବଶ୍ୟକ ନିଶ୍ଚେତକ ଔଷଧ (ଆନାସ୍ଥେଟିକ୍ସ) ଆଉ ଦୁଇ ସପ୍ତାହରୁ ଅଧିକ ଯିବ ନାହିଁ। ଫଳରେ ହାର୍ଟ, କ୍ୟାନସର ଓ କିଡ୍‌ନୀ ରୋଗୀମାନଙ୍କର ଜରୁରି ଅସ୍ତ୍ରୋପଚାର ଆଉ ସମ୍ଭବ ହୋଇ ପାରିବ ନାହିଁ। ଏ ପରିସ୍ଥିତି ଜାରି ରହିଲେ ଅନେକ ହସ୍ପିଟାଲ କର୍ମଚାରୀଙ୍କ ଚାକିରି ଯିବାର ବି ଆଶଙ୍କା ରହିଛି, ଯାହା ଦୁର୍ଦ୍ଦଶାକୁ ଆହୁରି ବୃଦ୍ଧି କରିବ। ଏହି ସମସ୍ୟା ପାଇଁ ଔଷଧ ନିର୍ମାତାମାନେ ଦେଶର ଆର୍ଥିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଔଷଧ ଓ ସରଞ୍ଜାମ ଆମଦାନି ପାଇଁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଆଉ ଲେଟର ଅଫ୍ କ୍ରେଡିଟ୍ (ଏଲ୍‌ସି) ଇସ୍ୟୁ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *