ମୁଖ୍ୟ ଖବର

ଚନ୍ଦ୍ରଯାନ-୩ ଅଭିଯାନ’ ନାରୀଶକ୍ତିର ଜୀବନ୍ତ ଉଦାହରଣ: ମୋଦି

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଅଭିଯାନରେ ‘ଇସ୍ରୋ’ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ଅଭିଯାନ ଭାରତୀୟ ନାରୀମାନଙ୍କର ସାମର୍ଥ୍ୟର ଜୀବନ୍ତ ଉଦାହରଣ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୧୦୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ବୋଲି ମଧ୍ୟ ଗୁରୁତ୍ବାରୋପ କରି ‘ମନ୍‌ କୀ ବାତ୍‌’ରେ  ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ୨୦୨୨ ଡିସେମ୍ବର ୧ରୁ ଭାରତ ଅଧ୍ୟକ୍ଷତା ଭାର ବହନ କରିବା ପରଠାରୁ ‘ଜି୨୦’ ଫୋରମ୍‌କୁ ଅଧିକ ଅନ୍ତର୍ଭୁକ୍ତିକରଣ କରାଯାଇଛି। ଭାରତର ‘ଜି୨୦’ ଅଧ୍ୟକ୍ଷତା ହେଉଛି ଜନତାଙ୍କ ଅଧ୍ୟକ୍ଷତା। ତେଣୁ, ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀକୁ ସଫଳ କରି ଦେଶକୁ ଗୌରବାନ୍ବିତ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

‘ୱାର୍ଲଡ୍‌ ୟୁନିଭର୍ସିଟି ଗେମ୍‌ସ୍‌’ ୨୦୨୩’ର ବିଜେତାମାନଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ରୀଡ଼ାରେ ଭାଗ ନେଇଥିବା କେତେକ ଖେଳାଳିଙ୍କ ସହିତ କଥାବର୍ତ୍ତା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ତୀରନ୍ଦାଜ ପ୍ରଗତି। ଦେଶର ପ୍ରତିନିଧିତ୍ବ କରିଥିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ପ୍ରୀତ ବୋଲି ପ୍ରଗତି କହି‌ଛନ୍ତି। ମେ ମାସରେ ହୋଇଥିବା ‘ବ୍ରେନ୍‌ ହାମ୍‌ରେଜ୍‌’ ଏବଂ ଅନ୍ୟାନ୍ୟ ବହୁ ପ୍ରତିବନ୍ଧକ ଏଡ଼ାଇ ସେ ପଦକ ବିଜୟୀ ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ୧୦ କୋଟିରୁ ଅଧିକ ଜନତା ଜାତୀୟ ପତାକା ସହିତ ଉଠାଇଥିବା ‌‘ସେଲ୍‌ଫି’ ପଠାଇଛନ୍ତି।

ସେହିପରି, ଏବେ ସଂସ୍କୃତ ଭାଷାର ପ୍ରସାର ପାଇଁ କରାଯାଉଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ‘ବିଶ୍ବ ସଂସ୍କୃତ ଦିବସ’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ସଂସ୍କୃତ ବିଶ୍ବର ସର୍ବପୁରାତନ ଭାଷାରୁ ଗୋଟିଏ ବୋଲି ଆମେ ସମସ୍ତେ ଜାଣନ୍ତି। ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ବୋଲି କୁହାଯାଏ। ସଂସ୍କୃତ ତା’ର ପ୍ରାଚୀନତା ତଥା ବୈଜ୍ଞାନିକତା ଓ ବ୍ୟାକରଣ ନିମନ୍ତେ ପ୍ରସିଦ୍ଧ।

ଦୁଗ୍ଧଜାତ ସାମଗ୍ରୀ କ୍ଷେତ୍ରକୁ ସୁଦକ୍ଷ କରିବା ଲାଗି ସର୍ବସାଧାରଣଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ରକ୍ଷା ବନ୍ଧନ ଲାଗି ‌ମଧ୍ୟ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *