ଦେଶ- ବିଦେଶ

ଏକ ବଡ଼ ଗାତରେ ପଡୁ ପଡୁ ବର୍ତ୍ତିଗଲା ପ୍ରଜ୍ଞାନ ରୋଭର୍, ସୂଚନା ଦେଲା ଇସ୍ରୋ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ମିସନ ସଂପର୍କରେ ଏକ ନୂଆ ଅପଡେଟ୍ ଜାରି କରିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ଚନ୍ଦ୍ରପୃଷ୍ଠରେ ଚାଲିବା ଜାରି ରଖିଛି ପ୍ରଜ୍ଞାନ ରୋଭର । ରବିବାର ଅର୍ଥାତ ଅଗଷ୍ଟ ୨୭ରେ ରୋଭର ଏକ ବଡ଼ ଖାଲ ନିକଟରେ ପହଞ୍ଚିଥିଲା । ଉକ୍ତ ଖାଲର ବ୍ୟାସ ପ୍ରାୟ ୪ ମିଟର ହେବ । କିନ୍ତୁ ଖାଲରେ ପଡ଼ିବା ପୂର୍ବରୁ ରୋଭର ସୁରକ୍ଷିତ ଫେରିଆସିଥିଲା । ଗାତଟି ରୋଭରର ୩ ମିଟର ଆଗରେ ଥିବାବେଳେ ଫେରିଆସିବାକୁ ରୋଭରକୁ କମାଣ୍ଡ ଦିଆଯିବା ପରେ ତାହା ଫେରିଆସିଥିଲା । ଏବେ ଏହା ସୁରକ୍ଷିତ ଭାବେ ଏକ ନୂଆ ମାର୍ଗରେ ଗତି କରୁଛି।ଇସ୍ରୋ ପକ୍ଷରୁ ଖାଲର ଚଉଡ଼ା ସମ୍ପର୍କରେ ସୂଚନା ଦିଆଯାଇ ଥିଲେ ବି ତାହା କେତେ ଗଭୀର ଥିଲା ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ଯଦି ରୋଭରଟି ଉକ୍ତ ଖାଲରେ ପଡ଼ିଥାନ୍ତା, ତାହା ନଷ୍ଟ ହେବାର ଆଶଙ୍କା ଥିଲା । ଏପରି ସ୍ଥଳରେ ଭୂପୃଷ୍ଠରେ ଥିବା ନିୟନ୍ତ୍ରଣ କକ୍ଷରୁ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାନ୍ତା । ଏହା ସମୁଦାୟ ମିସନକୁ ବିପଦକୁ ଠେଲିଦେଇଥାନ୍ତା । ଅଳ୍ପକେ ଏକ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି ପ୍ରଜ୍ଞାନ ରୋଭର।ଏହା ପୂର୍ବରୁ ଇସ୍ରୋ ରବିବାର ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସହ ଜଡିତ ଛାତିର ଚନ୍ଦ୍ର ପୃଷ୍ଠରେ ମାପିଥିବା ତାପମାତ୍ରା ପରିବର୍ତ୍ତନର ଗ୍ରାଫ୍ ଜାରି କରିଥିଲା। ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ଗ୍ରାଫରେ ଚନ୍ଦ୍ରପୃଷ୍ଠର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *