ଦେଶ- ବିଦେଶ

ଚନ୍ଦ୍ରର ଦକ୍ଷିଣମେରୁରୁ ମିଳିଲା ସଲଫର୍

ନୂଆଦିଲ୍ଲୀ: ଭାରତ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ -୩’ ମାଧ୍ୟମରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ମଙ୍ଗଳବାର (ଅଗଷ୍ଟ ୨୯)‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ ବଡ଼ ଖବର ଭାରତୀୟଙ୍କୁ ଦେଇଛି। ଇସ୍ରୋ କରିଥିବା ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ, ପ୍ରଜ୍ଞାନ ରୋଭରର ପେଲୋଡ୍ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ ହୋଇଛି। ଏହା ସହ ଇସ୍ରୋ କହିଛି ଯେ, ସଲଫର୍ ମିଳିବା ପରେ ଏବେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ (ଉଦଜାନ)ର ସନ୍ଧାନ କରୁଛି।

ଏଥିସହ ଇସ୍ରୋ ଏକ୍ସରେ ପୋଷ୍ଟ କରି କହିଛି ଯେ, ପ୍ରଥମ ଥର ପାଇଁ ରୋଭରରେ ଲାଗିଥିବା ‘ଲେଜର-ଇଣ୍ଡ୍ୟୁସଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍’ (ଏଲଆଇବିଏସ) ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ କରିିଛି। ପ୍ରାଥମିକ ଅନୁଶୀଳନ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ୍, କ୍ରୋମିୟମ, ଟିଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଓ ଅକ୍ସିଜେନ୍ ଥିବାର ଜଣାପଡ଼ିଛି । ଏସବୁ ପଦାର୍ଥ ଚିହ୍ନଟ କରିବା ପରେ ଏବେ ହାଇଡ୍ରୋଜେନ୍ (ଏଚ୍)ର ସନ୍ଧାନ ଚଳାଇଛି ପ୍ରଜ୍ଞାନ। ସୂଚନାଯୋଗ୍ୟ, ଏହି ଏଲଆଇବିଏସ  ପେଲୋଡ୍ ବେଙ୍ଗାଲୁରୁର ଏକ ଲାବୋରେଟୋରିରେ ତିଆରି ହୋଇଥିଲା।

ଏହା ପୂର୍ବରୁ ପ୍ରଜ୍ଞାନ ରୋଭର ବାର୍ତ୍ତା ପଠାଇଥିଲା ଯେ, ‘‘ନମସ୍କାର ପୃଥିବୀ! ମୁଁ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭର। ମୁଁ ଆଶା କରୁଛି ତୁମେ ଭଲ କରୁଛ। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି। ମୁଁ  ମୋର ବନ୍ଧୁ ବିକ୍ରମ ଲାଣ୍ଡର ସହ ଯୋଗାଯୋଗରେ ଅଛି। ଆମେ ସୁସ୍ଥ ଅଛୁ। ଭଲ ଖବର ଖୁବ୍‌ ଶୀଘ୍ର ଆସିବ।’’

Leave a Reply

Your email address will not be published. Required fields are marked *