ମୁଖ୍ୟ ଖବର

ନିଖୋଜ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ

ଗଂଜାମ: ରାୟଗଡ଼ାସ୍ଥିତ ଏକ ହୋଟେଲରୁ ଆଜି ଅପରାହ୍‌ଣ ୩ଟାରେ ନିଖୋଜ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରାୟ ୬ ଘଣ୍ଟା ପରେ ବ୍ରହ୍ମପୁରରେ ଠାବ ହୋଇଛନ୍ତି। ଲୋକଶକ୍ତି ଅଭିଯାନର ସଭାପତି ତଥା ଜଣାଶୁଣା ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ପୁଲିସ ବ୍ରହ୍ମପୁରର ହିଲ୍‌ପାଟଣାସ୍ଥିତ ତାଙ୍କ ଘରେ ଆଣି ଛାଡ଼ି ଦେଇଛି। ବ୍ରହ୍ମପୁରସ୍ଥିତ ନିଜ ଘରେ ପହଞ୍ଚିଲା ପରେ ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମକୁ କହିଛନ୍ତି ଯେ, ରାୟଗଡ଼ାର ହୋଟେଲରେ ଥିଲା ବେଳେ କିଛି ଲୋକ ଅଚାନକ ପହଞ୍ଚିଥିଲେ। ସେମାନେ କିଛି ନ କହି ତାଙ୍କର ମୁହଁ ଓ ହାତକୁ କପଡ଼ା ବାନ୍ଧି ଦେଇଥିଲେ। ମୋବାଇଲ୍ ବନ୍ଦ କରିଦେଇଥିଲେ। ତା’ପରେ ବଳପୂର୍ବକ ତାଙ୍କୁ ଟେକିନେଇ ବୋଲେରୋରେ ଭର୍ତ୍ତି କରି ଦେଇଥିଲେ। ଏହି ବ୍ୟକ୍ତିମାନେ ସିଧା ସେଠାରୁ ଆଣି ବ୍ରହ୍ମପୁରରେ ପହଞ୍ଚାଇଥିଲେ। ଏହା ପୁଲିସର କାର୍ଯ୍ୟ ହୋଇପାରେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସାମନ୍ତରା।ଏହିଘଟଣା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତରା କହିଛନ୍ତି ଯେ, ଯେଉଁ ପୁଲିସ କର୍ମଚାରୀମାନେ ମତେ ରାୟଗଡ଼ାରୁ ବ୍ରହ୍ମପୁର ଆଣିଥିଲେ, ସେମାନେ କ୍ଷମା ମାଗିଛନ୍ତି। କର୍ମଚାରୀ ହୋଇଥିବାରୁ ଯାହା ଆଦେଶ ମିଳିଲା ତାହା କରିଛୁ ବୋଲି ସେମାନେ ତାଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି । ଯେହେତୁ ତାଙ୍କୁ ବ୍ରହ୍ମପୁର ଉଠାଇ ଆଣିଥିବା ଲୋକମାନେ ନିଜକୁ ହୋଟେଲରେ ପୁଲିସ ବୋଲି ପରିଚୟ ଦେଇଥିଲେ ତେଣୁ ଏହା ପୁଲିସର କାଣ୍ଡ ବୋଲି କହିଛନ୍ତି ଶ୍ରୀ ସାମନ୍ତରା। ଅନ୍ୟପକ୍ଷରେ ଏହା ପୁଲିସ ଛଦ୍ମବେଶୀ କମ୍ପାନି ଗୁଣ୍ଡାଙ୍କ କାମ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।

ଜଣାଶୁଣା ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ରାୟଗଡ଼ାସ୍ଥିତ ଏକ ହୋଟେଲ ରୁମରୁ ଅଜଣା ବ୍ୟକ୍ତି ଉଠାଇନେଇଥିବା ଅଭିଯୋଗ ହୋଇଥିଲା। ଆଜି ସେ ବେଦାନ୍ତ ଓ ମୈତ୍ରୀ କମ୍ପାନି ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା। ସେ ହୋଟେଲର ୧୦୩ ନମ୍ବର ରୁମରେ ରହୁଥିଲେ। ତେବେ ଅପରାହ୍ନ ସାଢେ ୩ଟା ବେଳେ କିଛି ସାଦାପୋଷାକଧାରୀ ହୋଟେଲରେ ପ୍ରବେଶ କରି ଶ୍ରୀ ସାମନ୍ତରାଙ୍କୁ ଏକ କାର୍‌ରେ ନେଇଯାଇଥିଲେ। ହୋଟେଲ ମାଲିକ କହିଥିଲେ, ସାଦାପୋଷାକଧାରୀ ଅପହର୍ତ୍ତାମାନେ ପୁଲିସର ପରିଚୟ ଦେଇ ହୋଟେଲ ଭିତରକୁ ପ୍ରବେଶ କରିଥିଲେ।

ଅନ୍ୟ ଦିଗରେ ପୁଲିସ ଏ ସଂକ୍ରାନ୍ତରେ ମୁହଁ ଖୋଲି ନଥିବାରୁ ଓ ଶ୍ରୀ ସମନ୍ତରାଙ୍କର ଫୋନ ମଧ୍ୟ ବନ୍ଦ ରହିଥିବାରୁ ପୂରା ରାୟଗଡ଼ା ସମେତ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲେ ମଧ୍ୟ ସେ କାହିଁକି ଯୋଗ ଦେଉନାହାନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ତାଂକ ଫୋନ ଲାଗୁନଥିବା କୁହାଯାଇଥିଲା। ଖବର ନେବାରୁ ଜଣାପଡିଥିଲା ଯେ ପ୍ରାୟ ୪/୫ ଜଣ ଲୋକ ହୋଟେଲରେ ପଶି ତାଂକୁ ଅଜଣା ସ୍ଥାନକୁ ସଙ୍ଗରେ ନେଇଯାଇଛନ୍ତି।

ସୂଚନାଯୋଗ୍ୟ, ମିଥ୍ୟା ମାମଲାରେ ପ୍ରାୟ ୨୧ ଜଣ ଗ୍ରାମବାସୀଙ୍କୁ କାଶୀପୁର ଅଂଚଳରୁ ପୁଲିସ ଉଠାଇ ନେଇଥିବାରୁ ଏହାର ପ୍ରତିବାଦରେ ଆଜି ସମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ସାମନ୍ତରା ଗାଏବ ହୋଇଯାଇଥିବାରୁ ତାଂକୁ କିଏ ନେଲା ନା ସେ ନିଜେ ଗଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପୁଲିସ ଏ ନେଇ କିଛି ସ୍ପଷ୍ଟ ଉତ୍ତର ଦେଉନାହିଁ। ତେଣୁ ପୁଲିସ ହିଁ ଶ୍ରୀ ସାମନ୍ତରାଙ୍କୁ ଉଠାଇ ନେଇଥାଇପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି।

Leave a Reply

Your email address will not be published. Required fields are marked *