ବିଶେଷ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଉଣୀ ମାଳତୀ

ମହାପ୍ରଭୂ ଶ୍ରୀଜଗନ୍ନାଥ ଯେତିକି ରହସ୍ୟମୟ, ତାଙ୍କ ଲୀଳା ମଧ୍ୟ ସେତିକି ରହସ୍ୟମୟ। ତାଙ୍କୁ ନେଇ ରହିଛି କେତେ କାହାଣୀ, କେତେ କିମ୍ବଦନ୍ତୀ।ଭାବ ର ଠାକୁର ସେ। ଭାବ ରେ ସେ ବନ୍ଧା।ଭାବ ରେ ଯିଏ ତାଙ୍କୁ ଖୋଜିଛି ସେ ତା ପାଖରେ ପହଂଚିଛନ୍ତି। ଭକ୍ତ ବଳରାମ ଦାସ ଙ୍କ ଡ଼ାକରା ରେ ସେ ସମୁଦ୍ରକୂଳ ବାଲି ରଥ ରେ ବସିଥିଲେ। ବନ୍ଧୁ ମହାନ୍ତି ଙ୍କ ଡ଼ାକରା ରେ ତାଙ୍କୁ ସୁବର୍ଣ୍ଣ ଥାଳି ରେ ମହାପ୍ରସାଦ ଖୁଆଇଥିଲେ। ଲକ୍ଷେ ଯୋଜନ ରେ ଥିବା ଗଜରାଜ ର ଡ଼ାକରା ରେ ଗରୁଡ଼ ପିଠିରେ ବସି ପହଞ୍ଚିଯାଇଥିଲେ ତା ପାଖରେ। ପ୍ରାଚୀ ଉପତ୍ୟକା କିଶୋରୀ ର ଗୀତଗୋବିନ୍ଦ ତାଙ୍କୁ ଟାଣି ନେଇଥିଲାବାଇଗଣ କିଆରୀ କୁ। ଏମିତି କେତେ ଲୀଳା ତାଙ୍କ ର ଅଛି ଯାହା ଏହି କ୍ଷୁଦ୍ର ସ୍ଥାନ ରେ ପ୍ରକାଶ କରିହେବନି। ସେମିତି ଏକ ଲୀଳା ତାଙ୍କ ର ଆଜି ଆସନ୍ତୁ ଜାଣିବା। ଶ୍ରୀ କ୍ଷେତ୍ର ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ “ମାଳତୀ ପାଟପୁର” । ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟକ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର । ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି । ପାଟପୁର ଗ୍ରାମର ଏକ ଗରିବ ପରିବାର ।ଯେଉଁ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷ ଲୋକଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ । ବିଧାତା ର ନିଷ୍ଠୁରତା ଆଗରେ କେତେ ରଥୀ ମହାରଥୀ ମାନେ ମଧ୍ୟ ହାର୍ ମାନନ୍ତି ମଣିଷ ତ ଛାର ।ହଠାତ୍ ଦିନେ ସନ୍ଧ୍ୟା ରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀ ର ମୃତ୍ୟୁ ହୋଇଗଲା , ଭାଙ୍ଗି ପଡ଼ିଲା ବିଚରା ସ୍ତ୍ରୀ ଜଣକ । ପୁଅକୁ ସେତେବେଳେ ୫ ବର୍ଷ ଆଉ ଝିଅ ମାଳତୀ କୁ ୩ବର୍ଷ । କର୍ପୂର ସିନା ଉଡିଗଲା ହେଲେ କନା ଖଣ୍ଡକ ତ ଅଛି । କୁନି ପୁଅର ଖନେଇ ଖନେଇ କଥା ଓ କୁନି ଝିଅ ମାଳତୀ ର ଗୁରୁଣ୍ଡି ଚାଲିରେ ସ୍ଵାମୀ କୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଜଣକ । ବିଧିର ବିଧାନ କେ କରିବ ଆନ ? ବୋଝ ଉପରେ ନଳିତା ବିଡା ପରି ସ୍ଵାମୀ ର ମୃତ୍ୟୁ କୁ ମନରୁ ନ ଭୁଲୁଣୁ ସେମିତି ସର୍ପାଘାତ ରେ ପୁଅର ମୃତ୍ୟୁ ହେଲା । ଶରୀରରେ ମେରୁଦଣ୍ଡ ଭାଙ୍ଗିବା ପରେ ଶରୀରର ଅବସ୍ଥା ଯେମିତି ହୁଏ ସେମିତି ସ୍ତ୍ରୀ ଲୋକଟିର ମାନସିକ ଅବସ୍ଥା ହୋଇ ପଡ଼ିଲା ।ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା । ସ୍ତ୍ରୀ ଲୋକ ଜଣକ କାହା ଘରେ ବାସନ ମାଜି, କାହା ଘରେ ଝାଡୁ କରି ଯାହା କିଛି ରୋଜଗାର କରେ ସେଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଚଳି ଯାଆନ୍ତି ଉଭୟ ମା ଓ ୫ ବର୍ଷର ଝିଅ ମାଳତୀ । ଖୁବ୍ ଜାକଜମକରେ ରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମଧ୍ୟ ବାଦ୍ ପଡେ ନାହିଁ । ରାକ୍ଷୀ ପୂର୍ଣ୍ଣିମା ର ଦୁଇ ଦିନ ଆଗରୁ ମାଳତୀ ର ସାଙ୍ଗ ମାନେ ରାକ୍ଷୀ କିଣୁଥିଲେ ।ଛୋଟ ପିଲା ମାଳତୀ ଏହା ଦେଖି ମା ପାଖରେ ଯାଇ ଅଳି କରିଲା ” ଏ ମା , ମା ଲୋ ମୋତେ ବି ପଇସା ଦେ । ମୁଁ ବି ରାକ୍ଷୀ କିଣିବି ” ।ମା ମାଳତୀ ମୁଣ୍ଡକୁ ଆଉଁସି କାହା ଘରୁ କାମ କରି ଆଣି କାନିରେ ବାନ୍ଧି ରଖିଥିବା ଦଶ ପଇସି ଟେ ଧରେଇ ଦେଲା ମାଳତୀ ହାତକୁ ।ପର ଦିନ ସକାଳୁ ମାଳତୀ ଦୋକାନ ଯାଇ ରାକ୍ଷୀ ଟିଏ କିଣିଲା , ସାଙ୍ଗ ମାନଙ୍କ ଠାରୁ ବୁଝିଲା ଯେ ଏଇଟା ଭାଇ ମାନଙ୍କ ହାତରେ ବନ୍ଧା ଯାଏ । ସନ୍ଧ୍ୟା ରେ ଖେଳା ଖେଳି ସାରି ଘରକୁ ଫେରିଲା ମାଳତୀ , ଦିନ ସାରା କାମରେ କ୍ଳାନ୍ତ ହୋଇ ଚିରା ସପ ଟିଏ ବିଛେଇ ତଳେ ଶୋଇଥାଏ ମା । ମା ପାଖରେ ବସି ମାଳତୀ ପଚାରିଲା “ମା ମୋ ଭାଇ କାହିଁ ? ମୋ ସବୁ ସାଙ୍ଗ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା , ମୋ ଭାଇ କେଉଁଠି ଅଛି କହ ମୁଁ ବି ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ” । କାନ୍ଦି ପକେଇଲା ମା ଜଣକ ।ମାଳତୀ କୁ କୋଳେଇ ନେଇ କହିଲା ତୋ ଭାଇ ର ନାଁ ହେଉଛି ଜଗା ଭାଇ ,ଆଉ ସେ ପୁରୀ ଶ୍ରୀମନ୍ଦିର ରେ ରହେ ତୁ ତା ହାତରେ ରାକ୍ଷୀ ବାନ୍ଧିବୁ ।ଛୋଟ ପାଞ୍ଚ ବର୍ଷ ର କୁନି ଝିଅ ମାଳତୀ ,କଣ ବା ଜାଣେ ସଂସାର ବାବଦରେ , କଣ ବା ଜାଣେ ମୋହ,ମାୟା । ରାତି ୪ରୁ ଉଠି ହାତରେ ରାକ୍ଷୀ ଧରି ଚାଲିଲା ମାଳତୀ ଶ୍ରୀମନ୍ଦିର ଆଡ଼କୁ ତା ମା କହିଥିବା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ବାଟ ସାରା ଲୋକଙ୍କୁ ରାସ୍ତା ପଚାରି ପଚାରି କୁନି କୁନି ଖାଲି ପାଦରେ ମାଳତୀ ଯାଇ ପହଞ୍ଚିଲା ଗାଁ ଠାରୁ ଦଶ କିଲୋମିଟର ଦୂର ଶ୍ରୀମନ୍ଦିର ରେ ।ମନ୍ଦିର ର ସବୁ ପଣ୍ଡା ,ସେବାୟତ, ସୁଆର ଯାହାକୁ ଦେଖିଲା ପଚାରିଲା ମୋ ଜଗା ଭାଇକୁ କେହି ଦେଖିଛ କି ସିଏ ଏ ମନ୍ଦିର ରେ ରହେ । କିଏ ବା କାହିଁ ଜାଣିବ କିଏ ତା ଜଗା ଭାଇ , ସମସ୍ତଙ୍କର ସେହି ଗୋଟିଏ ଉତ୍ତର ନା ଆମେ ଜାଣିନାହୁଁ ।ମନ୍ଦିର ର ସବୁ ପୂଜାର୍ଚ୍ଚନା , ନୀତିକାନ୍ତି ସରିଲା , ପହଡ଼ ପଡ଼ିଲା ମାଳତୀ ସେମିତି ଖୋଜୁଥାଏ ଜଗା ଭାଇକୁ । ୫ ବର୍ଷର ପିଲାଟିଏ ଦିନ ସାରା ଅଖିଆ ଅପିଆ , ସେଥିରେ ପୁଣି ଦୀର୍ଘ ଦଶ କିଲୋ ମିଟର ଖାଲି ପାଦରେ ଚାଲି ଚାଲି ପୁରୀ ଯାଇଛି। ପାଦ ସାରା ଫୋଟକାମୟ ହୋଇ ଯାଇଥାଏ । ଦିନ ସାରାର ଥକ୍କା ମେଣ୍ଟାଇବା ପାଇଁ ପହଡ଼ ପଡିବା ପରେ ଭାଇକୁ ନପାଇ କାନ୍ଦି କାନ୍ଦି ଶୋଇ ପଡ଼ିଲା ମାଳତୀ ସିଂହ ଦ୍ଵାର ର ଏକ କୋଣରେ ।
ମଧ୍ୟ ରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିସ୍ତବ୍ଧ , କେହି ଜଣେ ଆସି ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା ” ମାଳତୀ ଏ ମାଳତୀ ଉଠ ଏବେ ! ମୁଁ ପରା ତୋ ଜଗା ଭାଇ , ଆସେ ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା ତୋ ବୋଉ ତତେ ଦିନ ସାରା ଖୋଜୁଛି “। ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇ ଗଲା ମାଳତୀ ଦେହରୁ । ଖୁସିରେ ରାକ୍ଷୀ ବାନ୍ଧି ବାହାରିଲା ଘରକୁ । ଯାଉ ଯାଉ ଅଟକି ଗଲା ପଛକୁ ଫେରି ଜଗା ଭାଇକୁ କହିଲା ଭାଇ ତୁ ବି ଚାଲ ମୋ ସାଙ୍ଗରେ ମୋତେ ଡ଼ର ଲାଗିବ ବାଟରେ ଏକା । ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା ମୋର କାମ ଅଛି ମୁଁ ପରେ ଯିବି । ତୁ ଏକା ଯା ମୁଁ ତୋ ପଛେ ପଛେ ଯାଉଛି ଯେତେବେଳେ ଡ଼ର ଲାଗିବ ତୁ ଖାଲି ପଦେ କହିବୁ – ଜଗା ଭାଇ ତୁ କେଉଁଠି ?ମୋତେ ଡ଼ର ଲାଗୁଛି । ଆଉ ମୁଁ ଆସି ପହଞ୍ଚି ଯିବି ତୋ ପାଖରେ । ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଲା । ମା ମାଳତୀ କୁ ପଚାରି ବୁଝିଲା ଯେ ସେ ମନ୍ଦିର ଯାଇଥିଲା ଆଉ ତା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଲା । ମା ବୁଝି ପାରିଲା ନାହିଁ ଝିଅର କଥା ଭାବିଲା ଛୋଟ ପିଲାଟା ଯାହା ମନକୁ ଆସୁଛି କହୁଛି ।ଦିନ ସାରା ମାଳତୀ କୁ ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିବା ମାଳତୀ ର ମା ମାଳତୀ କୁ ପାଖରେ ପାଇ ଖୁସିରେ ଅନ୍ୟ କୌଣସି କଥା ମନକୁ ପୂରେଇଲା ନାହିଁ ।ପର ଦିନ ଭୋରୁ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ଵକର୍ତ୍ତା , ମହାବାହୁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପହଡ଼ ଫିଟାଗଲା , ସମସ୍ତେ ଆଚମ୍ଵିତ , ସମସ୍ତେ ଆଶ୍ଚର୍ଯ୍ୟ ! ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ ? ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ସଙ୍ଗେ ସଙ୍ଗେ ଆସି ମନ୍ଦିର ରେ ପହଞ୍ଚିଲେ ମହାରାଜ ।ସବୁ ସେବାୟତ ମାନଙ୍କୁ ପଚରା ଗଲା ପହଡ଼ ପଡ଼ିବା ପରେ କିଏ ଆସିଥିଲା କାଲି ମନ୍ଦିର କୁ ?
ସମସ୍ତଙ୍କର ଗୋଟିଏ ଉତ୍ତର ଆମେ ଜାଣିନାହୁଁ ।ଅଧିଆ ପଡ଼ିଲେ ମହାରାଜ ଛାମୁ ଙ୍କ ପାଖରେ । ସ୍ଵପ୍ନାଦେଶ ରେ ମହାପ୍ରଭୁ ଜଣେଇଲେ ” ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ । ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ । ହେଲେ ତମେ ମାନେ କେହି ବି ତାର ଦେଖା କରେଇଲ ନାହିଁ ମୋ ସହ । ରାତିରେ ସେ ସିଂହ ଦ୍ଵାର ପାଖରେ ଶୋଇଥିଲା , ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ ” । ରାଜା ବଡ଼ପଣ୍ଡା ଙ୍କ ଠାରୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ କାଲି ଜଣେ ୫ ବର୍ଷର ଝିଅ ଆସିଥିଲା , ଖୋଜୁଥିଲା ତା ଜଗା ଭାଇକୁ ।ସମସ୍ତ ପଣ୍ଡା ପଢିଆରୀଙ୍କୁ ଧରି ରାଜା ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀ ଘରେ । ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ , ଆଉ କୁନି ଝିଅ ମାଳତୀ ରାଜାଙ୍କୁ ଦେଖି ଭୟଭୀତ ହୋଇ ମା କୁ ଜାବୁଡି ଧରିଲା । ଗତକାଲି ମାଳତୀ ମନ୍ଦିର ଯାଇଥିଲା ବୋଲି ମା ଜାଣିଥିଲେ ।ମାଳତୀ ର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା ” ଛାମୁ ମୋ ଝିଅ କାଲି ମୋତେ ନ ଜଣେଇ ମନ୍ଦିର ଯାଇଥିଲା । ଛୋଟ ପିଲାଟା ସେ ଯାହା ବି ଭୂଲ କରିଛି କ୍ଷମା କରନ୍ତୁ ପ୍ରଭୁ । ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ ହେଲେ ମାଳତୀ କୁ କ୍ଷମା କରନ୍ତୁ ମହାରାଜ ” ।ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢିଆରୀ ଦୌଡି ଆସିଲେ ମାଳତୀ ପାଖକୁ ,ପଡିଗଲେ ମାଳତୀ ର ପାଦ ତଳେ । ” ମା ଲୋ ଆମକୁ କ୍ଷମା କରିଦେ ଆମେ ତୋତେ ଚିହ୍ନି ପାରିଲୁ ନାହିଁ । ସ୍ଵୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ ବାହାରକୁ ହେଲେ ଆମେ ଅଧମ ତୋତେ ମନ୍ଦିର ଭିତରକୁ ଛାଡିଲୁ ନାହିଁ । ମା ଲୋ ତୁ ଆମ କୋଟି ଓଡ଼ିଆ ଙ୍କ ମଉଡ଼ ମଣୀର ଭଉଣୀ ଆମେ ତୋ ଦାସାନୁଦାସ ର ଦାସ ଆମକୁ କଣ କ୍ଷମା ଦେବୁନାହିଁ” ।ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିର କୁ ଆଉ ସେଦିନ ଠାରୁ ମହାରାଜା ପାଟପୁର ର ନାମ ପରିବର୍ତ୍ତନ କରି ମାଳତୀ ପାଟପୁର ରଖିଲେ । ଜୟ ଜଗନ୍ନାଥ।।
ସନ୍ତୋଷ ଦାଶ।
୯୪୩୯୩୬୧୮୮୮

Leave a Reply

Your email address will not be published. Required fields are marked *