ଦେଶ- ବିଦେଶ

ଆଇଏନଡିଆଇଏ ବ୍ଲକ ପୋଷ୍ଟରରୁ ଅରବିନ୍ଦ କେଜ୍ରିୱାଲ ନିଖୋଜ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ବିଜେପିକୁ ଟକ୍କର ଦେବା ଲକ୍ଷ୍ୟରେ ୨୬ ଦଳକୁ ନେଇ ଗଠିତ ମିଳିତ ବିରୋଧୀ ଦଳ ଆଇଏନଡିଆଇଏ (ଇଣ୍ଡିଆ)ର ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଛି! ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଜାରି ହୋଇଥିବା ବିରୋଧୀ ଦଳ ଆଇଏନଡିଆଇଏ ବ୍ଲକ ପୋଷ୍ଟରରୁ ଅରବିନ୍ଦ କେଜ୍ରିୱାଲ ନିଖୋଜ ଅଛନ୍ତି।

ଏହି ପୋଷ୍ଟରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଫଟୋ ନଥିବା ଯୋଗୁଁ ବିରୋଧୀ ମେଣ୍ଟ ଭିତରେ ସବୁ କିଛି ଠିକ୍‌ ଠାକ୍‌ ଚାଲିଛି କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଏହି ସୁଯୋଗର ଫାଇଦା ଉଠାଇ ଭାରତୀୟ ଜନତା ପାର୍ଟି (ବିଜେପି)ର ଶେହଜାଦ ପୁନାୱାଲା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଏବେ ପ୍ରିୟ ବନ୍ଧୁଗଣ, ତୀକ୍ଷ୍ଣ ନଜର ପକାନ୍ତୁ; ନୀତୀଶ ଜୀ, ଶରଦ ପାୱାର, ଅଖିଳେଶ, ଓମାର, ହେମନ୍ତ, ମମତା ଦି, ସୀତାରାମ ୟେଚୁରୀ ଆଦିଙ୍କ ଦଳର ନେତା ହେଉଛନ୍ତି ରାହୁଲ। ଆପ୍‌ ଏବଂ କଂଗ୍ରେସ ବିଭାଜନ ଆଡ଼କୁ ଯାଉଛନ୍ତି କି?’ ବୋଲି ସେ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, ସେମାନଙ୍କର କୌଣସି ମିସନ ନାହିଁ ! ଖାଲି ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ରହିଛି। ବୈଠକ ପୂର୍ବରୁ ଜାରି ହୋଇଥିବା ପ୍ଲାକାର୍ଡକୁ ଦେଖିଲେ ମନେହେଉଛି ରାହୁଲ ଗାନ୍ଧି ଅନ୍ୟ ନେତାଙ୍କ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। କିନ୍ତୁ ରୋଚକ କଥା ହେଉଛି କେଜ୍ରିୱାଲ ଏଥିରୁ ବଞ୍ଚିତ ହେଉଛନ୍ତି। ଆଜି ଆପ୍‌ ମଧ୍ୟ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରୁଥିବା ବେଳେ ଜେଡିୟୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ କଂଗ୍ରେସ ନିଜ ନିଜ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସହ ମୁହାଁମୁହିଁ ହୋଇଥିଲା। ପ୍ରଚାର ବେଳେ କେଜ୍ରିଓ୍ଵାଲ ଛତିଶଗଡ଼ ସରକାରୀ ବିଦ୍ୟାଳୟର ସ୍ଥିତିକୁ ସମାଲୋଚନା କରିଥିଲେ, ଯାହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।

କଂଗ୍ରେସର ଗଣମାଧ୍ୟମ ଓ ପ୍ରଚାର ବିଭାଗ ମୁଖ୍ୟ ପୱନ ଖେରା ସିଧାସଳଖ କେଜ୍ରିଓ୍ଵାଲଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ, ‘ରାୟପୁର କାହିଁକି ଯିବେ? ଆମ ଛତିଶଗଡ଼ ସରକାରଙ୍କ ପ୍ରଦର୍ଶନକୁ ପୂର୍ବ ରମଣ ସିଂହ ସରକାର ସହ ତୁଳନା କରାଯିବ? ସେ ପ୍ରସ୍ତାବ ଦେଇଥିଲେ: ଆସନ୍ତୁ ଆପଣଙ୍କ ପସନ୍ଦର ଏକ କ୍ଷେତ୍ର ଚୟନ କରିବା ଏବଂ ଦିଲ୍ଲୀରେ କଂଗ୍ରେସ ସରକାର ବନାମ ଏଠାରେ ଆପଣଙ୍କ ସରକାରର ପ୍ରଦର୍ଶନକୁ ତୁଳନା କରିବା?

ଇଣ୍ଡିଆନ୍‌ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍‌ ଆଲାଏନ୍‌ସ (ଆଇଏନଡିଆଇଏ)ର ଅଂଶ ହୋଇଥିଲେ ମଧ୍ୟ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ବିଶେଷକରି ରାଜ୍ୟ ସ୍ତରରେ ବାରମ୍ବାର ଉତ୍ତେଜନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *