ଦେଶ- ବିଦେଶ

ମନୀଷଙ୍କୁ ଗିରଫ କରିବାକୁ ସିବିଆଇ କର୍ମଚାରୀ ଚାହୁଁନଥିଲେ : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି ।

କେଜ୍ରିୱାଲ ନିଜେ ଏକ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ମୁଁ ସୂଚନା ପାଇଛି ଯେ ସିବିଆଇର ଅଧିକାଂଶ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଥିଲେ, କାରଣ ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ରାଜନୈତିକ ଚାପ ଏତେ ଅଧିକ ଥିଲା ଯେ ତାଙ୍କୁ ନିଜର ରାଜନୈତିକ ମୁନୀବଙ୍କ କଥା ମାନିବାକୁ ପଡ଼ିଥିଲା ।

କେଜ୍ରିଓ୍ଵାଲ ରବିବାରଦିନ ବି  କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଲୋକମାନେ ଏହାର ଜବାବ ଦେବେ, କାରଣ ସେମାନେ ଦେଖୁଛନ୍ତି ଯେ କିପରି ଦେଶପ୍ରେମୀ ଏବଂ ସଚ୍ଚୋଟ ଲୋକଙ୍କୁ ଜେଲ୍ ପଠାଯାଉଛି ଏବଂ ଦେଶର ବ୍ୟାଙ୍କଲୁଟ୍ କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

ଏହାର ଜବାବରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ “କେଜ୍ରିଓ୍ବାଲ ମିଛ ଖବର ପ୍ରସାର କରୁଛନ୍ତି । ଗୁଜରାଟରେ ମଧ୍ୟ ଆପଣ ଆଇବି ବିରୋଧରେ ଏଭଳି ମିଥ୍ୟା ଖବର ପ୍ରଚାର କରିଥିଲେ । ବର୍ତ୍ତମାନ ସମସ୍ତେ ଜାଣନ୍ତି ଯେ ଆପଣ ଯାହା ଲେଖୁଛନ୍ତି ଏବଂ କହୁଛନ୍ତି ତାହା ମନଗଢ଼ା । ଆଇନ କାମ କରିବାକୁ ଦିଅ, ମଦ ମନ୍ତ୍ରୀଙ୍କ ମଦ ଦୁର୍ନୀତିର ତଦନ୍ତ ଖୁବ୍ ଶୀଘ୍ର ଆହୁରି ବଢିବ, ଏହା ଆପଣଙ୍କର ଭୟ ମଧ୍ୟ, ନୁହେଁ କି?”

Leave a Reply

Your email address will not be published. Required fields are marked *