ଦେଶ- ବିଦେଶ

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମାଲୋଚନା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ରାହୁଲ ଗାନ୍ଧି ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ।

ଏକକାଳୀନ ନିର୍ବାଚନ କରିବା ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ କଂଗ୍ରେସ ସାଂସଦମାନେ ଟୁଇଟ୍‌ କରିଛନ୍ତି।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ବିଚାରକୁ କାର୍ଯ୍ୟକାରୀ କରିବାର ସମ୍ଭାବନା ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟ ହେବାକୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କମିଟିରୁ ବାଦ୍‌ ଦିଆଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ସରକାର ଖଡଗେଙ୍କ ବଦଳରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କୁ କମିଟିରେ ସାମିଲ କରିଛନ୍ତି।

ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ଆଜାଦ ପାର୍ଟିର ସଭାପତି ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍‌ କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍‌ସ କମିଶନର ସଞ୍ଜୟ କୋଠାରୀ ରହିଛନ୍ତି।

ଲୋକସଭା, ବିଧାନସଭା, ପୌରପାଳିକା ଓ ପଂଚାୟତର ଏକକାଳୀନ ନିର୍ବାଚନ କରିବା ପ୍ରସଙ୍ଗରେ ଯଥାଶୀଘ୍ର ଯାଞ୍ଚ କରି ସୁପାରିସ କରିବାକୁ ସରକାର ଶନିବାର ୮ ଜଣିଆ କମିଟି ଗଠନ କରିବା ସହ ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି।
ଏହି କମିଟି ସମ୍ବିଧାନ, ଜନପ୍ରତିନିଧି ଆଇନ ଏବଂ ଅନ୍ୟାନ୍ୟ ଆଇନ ଓ ନିୟମରେ ନିର୍ଦ୍ଦିଷ୍ଟ ସଂଶୋଧନକୁ ଅନୁଧ୍ୟାନ କରି ସୁପାରିସ କରିବ, ଯେଉଁଥିରେ ଏକକାଳୀନ ନିର୍ବାଚନ କରିବା ଉଦ୍ଦେଶ୍ୟରେ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସମ୍ବିଧାନରେ ସଂଶୋଧନ ପାଇଁ ରାଜ୍ୟଗୁଡ଼ିକର ଅନୁମୋଦନ ଆବଶ୍ୟକ କରିବେ କି ନାହିଁ ତାହା ମଧ୍ୟ କମିଟି ଅନୁଧ୍ୟାନ କରି ସୁପାରିସ କରିବ।

ଏହି କମିଟି ଏକକାଳୀନ ନିର୍ବାଚନ ହେଲେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କିମ୍ବା ଦଳବଦଳ କିମ୍ବା ଅନ୍ୟ କୌଣସି ଘଟଣା ଭଳି ପରିସ୍ଥିତିର ସମ୍ଭାବ୍ୟ ସମାଧାନ ପାଇଁ ବିଶ୍ଳେଷଣ କରି ସୁପାରିଶ କରିବ।

Leave a Reply

Your email address will not be published. Required fields are marked *