ରାଜ୍ୟ

ଘରେ ଘରେ ରକ୍ଷାପଞ୍ଚମୀ ପୂଜା ଅନୁଷ୍ଠିତ


ନିମାପଡ଼ା : ଆଜି ଭାଦ୍ରବ ମାସ ର ପଞ୍ଚମୀ ତିଥି। ପୁରୀ ଶ୍ରୀ ମନ୍ଦିର ତଥା ଉପକୂଳ ଅଞ୍ଚଳ ର ଘରେ ଘରେ ଅନୁଷ୍ଠିତ ହୋଇଛି ରକ୍ଷାପଞ୍ଚମୀ ପୂଜା।ଏହିଦିନ ପ୍ରତି ଘରେ ଦ୍ୱାରପୂଜା ନୀତି ଅନୁଷ୍ଠିତ ହୋଇଛି । ତାହାକୁ ‘ରକ୍ଷାପଞ୍ଚମୀ’ ପୂଜା କହନ୍ତି । ସାଧାରଣତଃ ଗୃହସ୍ଥମାନେ ସର୍ପ, ପଶୁ ଓ ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି । ଏହି ପୂଜାର ଇଷ୍ଟଦେବ ହେଉଛନ୍ତି ‘ବଟୁକ ଭୈରବ’ । ସାଧାରଣତଃ, କେତେକ ଶିବ ମନ୍ଦିରର ଦ୍ୱାରଦେଶରେ ବଟୁକ ଭୈରବଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖାଯାଏ । ‘ଭୈରବ’ ଶବ୍ଦର ଅର୍ଥ, ଯେ ଭରଣ (ବ୍ରହ୍ମାଣ୍ଡ)ର ରକ୍ଷକ । ‘ଶିବପୁରାଣ’ ରେ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ଏ ଅନ୍ୟତମ । ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ଏ ଏକ ଉଲଗ୍ନ ମୂର୍ତ୍ତି । କଟିସୂତ୍ର ଭାବରେ ତାଙ୍କର କଟିରେ ସର୍ପ ରହିଥାଏ । ସାଧାରଣତଃ ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ ସେ ହସ୍ତରେ ଧାରଣ କରିଥାଆନ୍ତି । ତାଙ୍କ ସହିତ ଗଣେଶ ରହିଥାନ୍ତି । ବାହନ ଭାବରେ ଏକ କୁକୁର ତାଙ୍କ ନିକଟରେ ଥାଏ । ଚାରିପାଖରେ ପିଶାଚଗଣ ରହିଥାନ୍ତି । କଥିତ ଅଛି ଯେ, ଏହାଙ୍କୁ ପୂଜନ କରିବା ଦ୍ୱାରା ଗୃହସ୍ଥ ଭୟମୁକ୍ତ ହୋଇଥାନ୍ତି । ସେଥିପାଇଁ ସମସ୍ତେ ଗୃହର ପ୍ରବେଶ ଦ୍ୱାରରେ ଗଣେଶ ଓ ବାରିଦ୍ୱାରରେ ବଟୁକ ଭୈରବଙ୍କର ମୂର୍ତ୍ତି ଅଙ୍କନ କରନ୍ତି । ବଟୁକ ଭୈରବଙ୍କ ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି କିଛି ଦୂବ ଓ ଅରୁଆ ଚାଉଳ ସହିତ ବାନ୍ଧି ଦ୍ୱାରବନ୍ଧରେ ଝୁଲାଇ ଦିଆଯାଏ । ଏହାପରେ ବ୍ରାହ୍ମଣ ଆସି ଯଥାରୀତି ବଟୁକ ଭୈରବଙ୍କୁ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି । ରାତ୍ରିକାଳରେ ଗୃହସ୍ଥମାନେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାରିଦୁଆର ପାଖରେ ପଶୁ ପକ୍ଷୀ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି । ବିଶ୍ୱାସ ରହିଛି ଯେ, ରକ୍ଷା ପଞ୍ଚମୀ ପୂଜା ଦ୍ଵାରା ଘର କୁ କୌଣସି ପ୍ରାକୃତିକ ବିପଦ ପଡ଼ି ନଥାଏ ଓ ଭୂତ, ପିଶାଚ ମାନେ ଘରକୁ ପ୍ରବେଶ କରି ପାରିନଥାନ୍ତି।

Leave a Reply

Your email address will not be published. Required fields are marked *