ଦେଶ- ବିଦେଶ

କାହାର ଧାର୍ମିକ ଭାବନାକୁ ଆମେ ଆଘାତ ଦେବା ଉଚିତ ନୁହେଁ: ମମତା

କୋଲକାତା : ସନାତନ ଧର୍ମ କୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧିଙ୍କ ମନ୍ତବ୍ୟ ପରେ ବିବାଦ ବଢିବାରେ ଲାଗିଛି । ବିଜେପି ଏହି ପ୍ରସଙ୍ଗ ଉଠାଇ ବିରୋଧୀ ମେଣ୍ଟ ଭାରତକୁ ମଧ୍ୟ ଟାର୍ଗେଟ କରିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଧର୍ମ ବିଶ୍ବାସକୁ ଆଘାତ କରୁଥିବା କୌଣସି ବୟାନ ଆମେ ଦେବା ଉଚିତ ନୁହେଁ ।ତାମିଲନାଡୁବାସୀ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି । ପ୍ରତ୍ୟେକ ଧର୍ମର ଭିନ୍ନ ଭିନ୍ନ ଭାବନା ଥାଏ । ଭାରତ ହେଉଛି ‘ବିବିଧତା ମଧ୍ୟରେ ଏକତା’, ଯାହା ଆମର ମୂଳ ଆଧାର। ଏକ ବର୍ଗର ଲୋକଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଯିବା ଉଚିତ୍ ନୁହେଁ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମୁଁ ସନାତନ ଧର୍ମକୁ ସମ୍ମାନ କରେ । ପୂଜା କରୁଥିବା ପୂଜକମାନଙ୍କୁ ଆମେ ପେନସନ୍ ଦେଇଥାଉ। ପଶ୍ଚିମବଙ୍ଗରେ ଦୁର୍ଗାପୂଜା ବଡ଼ ଧରଣରେ ପାଳନ କରାଯାଏ। ଆମେ ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚକୁ ଯାଇଥାଉ। ମୁଁ ଭାବୁଛି ଆମକୁ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ରବିବାର ଏକ ସଭାରେ ଯୋଗ ଦେଇ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ କରୋନା ଭୁତାଣୁ ସହ ତୁଳନା କରି ଏହାର ବିଲୋପ କରାଯାଉ ବୋଲି କହିଥିଲେ । ବିବାଦ ହେବା ପରେ ବି ସେ ନିଜ ବୟାନରେ କାଏମ ରହିଛନ୍ତି ।

Leave a Reply

Your email address will not be published. Required fields are marked *