ମୁଖ୍ୟ ଖବର

ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ

ରାଉରକେଲା : ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍‌ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଛେଣ୍ଡରେ ରହୁଥିବା ଏଜେଣ୍ଟ ବିମଲ କୁମାର ମୁଦୁଲିକୁ ସିବିଆଇ ସୋମବାର ଗିରଫ କରିଛି। ଭୁବନେଶ୍ବରରୁ ଆସିଥିବା ସିବିଆଇର ୧୦ ଜଣିଆ ଟିମ୍‌ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନଙ୍କଠାରୁ ନଗଦ ୫୦ ହଜାର ଟଙ୍କା ସହିତ ଦେଢ଼ଲକ୍ଷ ଟଙ୍କାର ଚେକ୍‌ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଛେଣ୍ଡରେ ରହୁଥିବା ପ୍ରଭାସିନୀ ସୂତାରଙ୍କ ସ୍ବାମୀ ସ୍ବର୍ଗତ ଶ୍ରୀଧର ସୂତାର ପୋଷ୍ଟାଲରେ ୫ଲକ୍ଷ ୩୦ହଜାର ଟଙ୍କା ଫିକ୍ସଡ୍‌ ରଖିଥିଲେ। ବର୍ତ୍ତମାନ ତାହା ସୁଧ ଓ ମୂଳ ସହିତ ୮ଲକ୍ଷ ଟଙ୍କା ହୋଇଛି। ଟଙ୍କା ଉଠାଇବା ପାଇଁ ପ୍ରଭାସିନୀ ଲିଗାଲ ହେଆର୍‌ ସାର୍ଟିଫିକେଟ ସହ ପୋଷ୍ଟାଲରେ ଆବେଦନ କରିଥିଲେ। ହେଲେ କଳିଙ୍ଗବିହାରରେ ରହୁଥିବା ପୋଷ୍ଟାଲ ଏଜେଣ୍ଟ ବିମଲ କୁମାର ମୁଦୁଲି ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ତାଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ଦେବା ଲାଞ୍ଚ ଦେବାକୁ କହିଥିଲେ। ଶେଷରେ ଏହା ୨ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା। ଏନେଇ ପ୍ରଭାସିନୀ ସିବିଆଇ କାର୍ଯ୍ୟାଳୟକୁ ଜଣାଇଥିଲେ। ଯୋଜନା ମୁତାବକ, ସୋମବାର ପ୍ରଭାସିନୀ ପୋଷ୍ଟ ଅଫିସରରେ ପହଞ୍ଚି ନଗଦ ୫୦ହଜାର ଟଙ୍କା ସହ ଦେଢ ଲକ୍ଷ ଟଙ୍କାର ଚେକ୍‌ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ୧୦ ଜଣିଆ ସିବିଆଇ ଟିମ୍‌ ୫୦ ହଜାର ଟଙ୍କା ସହ ଚେକ୍‌ ଜବତ କରିଥିଲେ। ଏପରିକି ସିବିଆଇ ଅଧିକାରୀମାନେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ଏବଂ ଏଜେଣ୍ଟ ବିମଲଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *