ରାଜ୍ୟ

ଅସ୍ତରଙ୍ଗ ଉପକୂଳ ହେନ୍ତାଳବଣ ର ହେବ ପୁନରୁଦ୍ଧାର

ନିମାପଡ଼ା :ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଦେବୀ ନଦୀ ମୁହାଣ ଅଞ୍ଚଳ ଜୈବ ବିବିଧତା ଦୃଷ୍ଟି କୋଣରୁ ବେଶ୍ ସମୃଦ୍ଧ ଓ ପ୍ରସିଦ୍ଧି ଲାଭ କରିଛି । କିନ୍ତୁ ସମୟ ସ୍ରୋତରେ ଖଜୁରୀ ପରି ଦେଖା ଯାଉଥିବା ହେନ୍ତାଳ ଗଛ ଲୋପ ପାଇଯାଇଛି । ଏନେଇ ଚଳିତ ବର୍ଷ ବନ ବିଭାଗ ଏହି ଗଛର ଉଦ୍ଧାର ପାଇଁ ବନ୍ୟପ୍ରାଣୀ ବନଖଣ୍ଡ ମୁଖ୍ୟାଳୟ ପକ୍ଷରୁ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ କୁ ମେମୋ ନଂ – ୪୪୮୭/୦୪ଇ/୨୨ରେ ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ଆସିଥିଲା । ଜଗତସିଂହପୁର ଓ ପୁରୀ ଜିଲ୍ଲା ପରି ଦୁଇ ଗୋଟି ଉପକୂଳ ଜିଲ୍ଲାକୁ ସଂଯୋଗ କରୁଥିବା ଦେବୀ ନଦୀ ମୁହାଣ ଅଞ୍ଚଳରେ ୧୩ ପ୍ରକାର ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ର ପ୍ରଜାତି ଥିବା ବେଳେ ୧୫ରୁ ଅଧିକ ପ୍ରକାରର ସହପ୍ରଜାତିର ଗଛ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ହେନ୍ତାଳ ବଣର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ମୁତାବକ ପୁରୀ ଜିଲ୍ଲା ଅନ୍ତର୍ଗତ ଦେବୀ ନଦୀ ମୁହାଣ ଅଞ୍ଚଳରେ ମାତ୍ର ୧.୧୩ ବର୍ଗ କିଲୋମିଟର ହେନ୍ତାଳ ଜଙ୍ଗଲ ରହିଛି ଯାହା ଓଡ଼ିଶାର ହେନ୍ତାଳ ଜଙ୍ଗଲର ୦.୩୪ ପ୍ରତିଶତ ଅଟେ। ବାତ୍ୟା ଓ ସୁନାମି ପ୍ରଭାବକୁ ପ୍ରତିହତ କରିବାର ଯଥେଷ୍ଟ କ୍ଷମତା ରଖିଥିବା ଏହି ଜଙ୍ଗଲ ଉପରେ ହଜାର ହଜାର ସଂଖ୍ୟକ ଜଳଚର ପ୍ରାଣୀ ଓ ଉଦ୍ଭିଦ ପ୍ରଜାତିକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ। କିନ୍ତୁ କାଳକ୍ରମେ ବିଭିନ୍ନ ମନୁଷ୍ୟକୃତ ଓ ପ୍ରାକୃତିକ କାରଣ ଯୋଗୁଁ ପରିବେଶ ବିଘଟନ ଏକ ଚିନ୍ତାର ବିଷୟ ପାଲଟିଛି । ଲୋପ ପାଇଯାଇଥିବା ଏହି ହେନ୍ତାଳ ବଣ ପୁନରୁଦ୍ଧାର କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ଥାନୀୟ ପରିବେଶବିତ ମାନେ ଆଶା ପ୍ରକଟ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ପରିବେଶ କର୍ମୀଙ୍କ ଉଦ୍ୟମରେ ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡରୁ ସଂଗୃହିତ ହୋଇଥିବା ହେନ୍ତାଳ ମଞ୍ଜି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ ଏନେଇ ଚାରା ପ୍ରସ୍ତୁତି ଆରମ୍ଭ ହେବା ସହିତ ହେନ୍ତାଳ ପୁନଃରୁଦ୍ଧାର ପାଇଁ ପ୍ରକୃଷ୍ଟ ସ୍ଥାନ ନିରୂପଣ କରାଯାଇ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି।
ରିପୋର୍ଟ ଓ ଫଟୋ – ସନ୍ତୋଷ ଦାଶ, ନିମାପଡା।

Leave a Reply

Your email address will not be published. Required fields are marked *