ଦେଶ- ବିଦେଶ

ଉପନିର୍ବାଚନ: ଆଇ.ଏନ.ଡି.ଆଇ.ଏ ହାତେଇଲା ୪, ଭାଜପାକୁ ମିଳିଲା ୩

ନୂଆଦିଲ୍ଲୀ, : ଦେଶରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ୭ ବିଧାନସଭା ଆସନରୁ ବିରୋଧୀ ମେଣ୍ଟ ୪ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୩ ଆସନ ଅକ୍ତିଆର କରିଛି।
କେରଳ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିଥିଲା। କାରଣ ଏହି ତିନୋଟି ରାଜ୍ୟରେ ଇଣ୍ଡିଆ ମେଣ୍ଟର ସଦସ୍ୟ ପରସ୍ପର ବିରୋଧରେ ଲଢୁଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ରାଜ୍ୟରେ କଂଗ୍ରେସ ସିପିଆଇଏମକୁ ଟକ୍କର ଦେଇଥିଲା। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପୁଅ ଚାଣ୍ଡି ଓମେନ କେରଳର ପୁଥୁପାଲୀ ଆସନରେ ବିପୁଳ ଭୋଟରେ ଭାଜପା ପ୍ରାର୍ଥୀଙ୍କୁ ହରାଇଛନ୍ତି।

ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ସିପିଆଇଏମ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଥିଲେ। ହେଲେ ଏହି ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଙ୍କୁ ଟକ୍କର ଦେଇଥିଲେ। ଏହି ସିଟରେ ମମତା ବାନାର୍ଜୀଙ୍କ ପାର୍ଟି ଓ ଭାଜପା ମଧ୍ୟରେ କଡା ମୁକାବିଲା ହୋଇଥିଲା। ଯେଉଁଥିରେ ଟିଏମସି ପ୍ରାର୍ଥୀ ବାଜିମାତ୍‌ କରିଛନ୍ତି।

ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଏକାଠି ଲଢିଥିଲେ। କିନ୍ତୁ ଭାଜପା ଏହି ସିଟ୍‌ରେ ବାଜିମାତ କରିଛି। ଉତ୍ତରାଖଣ୍ଡର ବାଗେଶ୍ୱର ସିଟ୍‌ରେ ଭାଜପା ପ୍ରାର୍ଥୀ ୨୭୦୦ରୁ ଅଧିକ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଛନ୍ତି। ସେହିପରି ଉତ୍ତରପ୍ରଦେଶର ଘୋସି ବିଧାନସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟି ଓ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା। ଭାଜପାର ଦୁର୍ଗ କୁହାଯାଉଥିବା ଉତ୍ତରପ୍ରଦେଶରେ ସପା ପ୍ରାର୍ଥୀ ଭାଜପା ପ୍ରାର୍ଥୀଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଭାଜପା ତ୍ରିପୁରାର ସିପାହିଜାଲା ଜିଲାର ଧାନପୁର, ବକ୍ସନଗର ଓ ବାଗେଶ୍ୱର ବିଧାନସଭା ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛି।

Leave a Reply

Your email address will not be published. Required fields are marked *