ଦେଶ- ବିଦେଶ

ଋଣ ସୁଝିବାକୁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି : ଆଦାନୀ ଗ୍ରୁପ

ନୂଆଦିଲ୍ଲୀ : ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି ଓ ନିବେଶକଙ୍କ ମଧ୍ୟରେ ଏହାର ଭାବମୂର୍ତ୍ତୀ ପ୍ରଭାବିତ ହୋଇଛି । ନିଜର ନିବେଶକମାନଙ୍କ ଆଶଙ୍କା ଦୂର କରିବାକୁ ଆଦାନୀ ଗ୍ରୁପ ପକ୍ଷରୁ ରୋଡସୋ ମାନ କରାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତ ସୋମବାର ସିଙ୍ଗାପୁରରେ କମ୍ପାନି ପକ୍ଷରୁ ଏକ ରୋଡ୍ ସୋ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଆଦାନୀ ଗ୍ରୁପର ଅଧିକାରୀମାନେ ରୋଡ୍ ସୋ’ରେ ଭାଗ ନେଇଥିବା ନିବେଶକମାନଙ୍କୁ ବିଭିନ୍ନ ପ୍ରକାରର ଆଶ୍ୱାସନା ଦେଇଛନ୍ତି । ଆଦାନୀ ଗ୍ରୁପ୍ ର ଅଧିକାରୀମାନେ ନିବେଶକମାନଙ୍କୁ କହିଥିଲେ ଯେ ଆସନ୍ତା ତିନି ବର୍ଷ ପାଇଁ ପରିପକ୍ୱ ହେବାକୁ ଥିବା ଋଣ ପରିଶୋଧ କରିବା ପାଇଁ କମ୍ପାନି ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି। ଖାଲି ସେତିକି ନୁହେଁ, ଆଦାନୀ ଗ୍ରୁପ୍ ପାଖରେ ୮୦୦ ନିୟୁତ ଡଲାରର କ୍ରେଡିଟ୍ ସୁବିଧା ମଧ୍ୟ ରହିଛି । ଆଦାନୀର ଏସିଆ ରୋଡ୍ ସୋ’କୁ ନିବେଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି ବୋଲି କମ୍ପାନି ପକ୍ଷରୁ କୁହାଯାଉଛି । ତେବେ ଏହି ରୋଡସୋ ସମ୍ପର୍କରେ କମ୍ପାନି ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ ।

ଗତ ଜାନୁଆରି ମାସରେ ଆମେରିକାର ହିଣ୍ଡନବର୍ଗ ପକ୍ଷରୁ ଜାରି ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ଷ୍ଟକ ହେରାଫେରି ଓ ହିସାବ ଠକେଇ ଆଦି ଅଭିଯୋଗ ଲଗାଯାଇଥିଲା । ଏହି ରିପୋର୍ଟ ଆସିବା ଆଦାନୀ ଗ୍ରୁପର ସବୁ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଚାଲିଛି ।

Leave a Reply

Your email address will not be published. Required fields are marked *