ଅପରାଧ

ଗୋଷ୍ଠୀ ବିବାଦରୁ ଯୁବକକୁ ହାଣି ହତ୍ୟା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଓ କୋଟିନଡ଼ା ଥାନା ଅଧୀନ ହରିଡ଼ାପଦର ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ସଞ୍ଜୟ ନାୟକ। କାତିରେ ବାରମ୍ବାର ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା। ଏନେଇ କେସ୍ ନମ୍ବର ୨୨୩/୨୩ ଅନୁସାରେ ମାମଲା ରୁଜୁ ସହ ଫେରାର ଅଭିଯୁକ୍ତ ସୁ‌ରେଶ ଡାକୁଆକୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂଚନାନୁସାରେ, ଗ୍ରାମରେ ଗତ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏହାମଧ୍ୟରେ ସୁରେଶକୁ ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଜେଲ୍ ଯାଇ ଜାମିନ‌ରେ ଫେରିଥିଲେ। ତ‌େବେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଓ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ କିଛିଦିନ ହେଲା ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ଗତକାଲି ରାତିରେ ଜେଲ୍ ଫେରନ୍ତା କିଛି ଯୁବକ ସୁରେଶର ଘର ସାମ୍ନାକୁ ଯାଇ ତାକୁ ଓ ତା’ର ପରିବାରକୁ ଗାଳିଗୁଲଜ କରିଥିଲେ। ଖବର ପାଇ ‌କୋଟିନଡ଼ା ପୁଲିସ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିଲା।

ତେବେ ଆଜି ସକାଳେ ଗ୍ରାମର ବଡ଼ସାହିର ଶେଷ ଭାଗରେ ସଞ୍ଜୟଙ୍କୁ ସୁରେଶ ଏକ କାତିରେ ଅତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆସିକା ଏସଡିପିଓ ଉମାଶଙ୍କର ସିଂ, କୋଟିନଡ଼ା ଥାନାଧିକାରୀ କୃଷ୍ଣଚନ୍ଦ୍ର ଶାହା ଓ ଆସିକା ଥାନାଧିକାରୀ ପି.ସ୍ୱରୂପ କିଷାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ମୃତକଙ୍କ ଭଉଣୀ ବିଷ୍ଣୁପ୍ରିୟା ଦାସଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି। ମୃତକ ଅନୁସୂଚିତ ଜାତିର ହୋଇଥିବାରୁ ଏସଡିପିଓ ଶ୍ରୀ ସିଂ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଆକ୍ରଣମକାରୀ ସୁରେଶକୁ କାବୁ କରିବାକୁ ଛାନଭିନ୍ ଜାରି ରହିଛି। ଗ୍ରାମରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *