ମହାନଗର

ରାଜ୍ୟରେ ଖଣି ଓ ଖଣିଜ କାରବାରକୁ ନେଇ କେନ୍ଦ୍ର ଖଣି ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ବୈଠକରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭାରତୀୟ ବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ)ର ମହାନିର୍ଦ୍ଦେଶକ ଜନାର୍ଦ୍ଦନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଜିଏସଆଇ, ନାଲକୋ, ଆଇବିଏମ ଭଳି କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ, ଖଣି ଓ ଭୂବୈଜ୍ଞାନିକ ନିର୍ଦ୍ଦେଶାଳୟ, ଓଡ଼ିଶା ଖଣି ନିଗମ (ଓଏମସି), ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ । ଜେଏସଡବ୍ଲୁ, ଜେଏସପିଏଲ, ବେଦାନ୍ତ, ଏଏମଏନଏସ, ଆସୋଚାମ୍‌, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଟାଟା ଷ୍ଟିଲ, ଫିକି, ଫିମି, ୟୁସିସିଆଇଏଲ, ସିଆଇଆଇ ଭଳି ଶିଳ୍ପାନୁଷ୍ଠାନ ଓ ଶିଳ୍ପ ସଂଘର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇ ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ।ଓଡ଼ିଶାରେ ଖଣି ଖନନ ଓ ଖଣିଜ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିଚାର ବିମର୍ଶ କରାଯାଇଥିଲା। କେନ୍ଦ୍ର ଖଣି ସଚିବ ବିଭିନ୍ନ ସଂସ୍ଥାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ସଂସ୍ଥା ଦ୍ୱାରା ଖଣିଜ ଉତ୍ତୋଳନ କାର୍ଯ୍ୟକୁ ବଢ଼ାଇବା ଏବଂ ଏନଏମଇଟି ପାଣ୍ଠିର ଉପଯୋଗ କରିବା, ଖଣିଗୁଡ଼ିକର ନିଲାମୀ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ନିଲାମ ହୋଇଥିବା ଖଣିଗୁଡ଼ିକୁ ଠିକ୍‌ ସମୟରେ କାର୍ଯ୍ୟକ୍ଷମ କରିବା ଏବଂ ଦୀର୍ଘସ୍ଥାୟୀ ଖଣି ଖନନ ସହିତ ଉତ୍ପାଦନ ବଢ଼ାଇବା ପାଇଁ ମିଳିତ ପ୍ରୟାସ ଲାଗି ଆହ୍ୱାନ କରିଥିଲେ। ଦେଓରଞ୍ଜନ କୁମାର ସିଂ ନିଜ ବକ୍ତବ୍ୟରେ ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ଏଜେନ୍ସିର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଓଡ଼ିଶାରେ ଖଣି କ୍ଷେତ୍ରର ବିକାଶ ପାଇଁ ଖଣି ମନ୍ତ୍ରଣାଳୟ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ସଚିବ ଆଶ୍ୱାସନା ଦେଇଥିଲେ ।

Leave a Reply

Your email address will not be published. Required fields are marked *