ମୁଖ୍ୟ ଖବର

ଜି୨୦: ନିମନ୍ତ୍ରଣ ପାଇ ବି ଗଲେନି ନବୀନ

ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଅବସରରେ ଶନିବାର (୨୦୨୩ ସେପ୍ଟେମ୍ବର ୯) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତିଥିମାନଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏଥିରେ ଭାରତକୁ ଆସିଥିବା ବହୁ ବିଶ୍ୱ ନେତା ଓ ପ୍ରତିନିଧି ଯୋଗ ଦେଇଥିଲେ। ସେହିପରି ରାତ୍ରିଭୋଜନରେ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା, ବିଶିଷ୍ଟ ଶିଳ୍ପପତିମାନେ ମଧ୍ୟ ଯୋଗ ଦେଇଥିଲେ। ଏପରିକି କେନ୍ଦ୍ର ସରକାରଙ୍କ ଅନେକ ବିକାଶମୂଳକ କାର୍ଯ୍ୟକୁ ବିରୋଧ କରିଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ  ଜି୨୦ ରାତ୍ରିଭୋଜନରେ ସାମିଲ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ନିମନ୍ତ୍ରଣ ଥାଇବି ଯୋଗ ଦେଇନଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାକୁ ଯାଇନଥିଲେ।କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭଲ ସମ୍ପର୍କ ଥାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାତ୍ରିଭୋଜନରେ ଯୋଗ ନଦେବାକୁ ନେଇ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଦୁଃଖର ବିଷୟ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ ଭଉଣୀ ବୋଲି କହିଥିଲେ ହେଲେ, ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ଥାଇ ସୁଦ୍ଧା ସେଠାକୁ ଗଲେନି। ଏତେ ବଡ଼ବଡ଼ ଲୋକଙ୍କ ଭିତରକୁ କାହିଁକି ଯିବି ଭାବି ବୋଧହୁଏ ସେ ଯାଇନାହାନ୍ତିି ବୋଲି  ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି। ଏଥିସହ ରାଜ୍ୟର ଦାରିଦ୍ର୍ୟତା, ନାରୀ ନିର୍ଯାତନା ଓ ରାଜ୍ୟର ମୁଣ୍ଡପିଛା ଆୟ କଥା ପଚାରିଲେ ନବୀନ କ’ଣ ଉତ୍ତର ଦେବେ କହି ସମାଲୋଚନା କରିଛନ୍ତି।

ତେବେ ରାତ୍ରିଭୋଜନରେ ନବୀନ ପଟ୍ଟନାୟକ ଯୋଗ ନଦେବା ପଛରେ ବ୍ୟକ୍ତିଗତ କିମ୍ବା ସ୍ୱାସ୍ଥ୍ୟଗତ କାରଣ ଥାଇ ପାରେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ଅନ୍ୟପଟେ ବିଜେଡି କହିଛି, ବିଜେପି ଯେଉଁ ପ୍ରତିକ୍ରିୟା ରଖିଛି ତାହା ନିନ୍ଦାଜନକ।

ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀ ଅବସରରେ ଓଡ଼ିଶାର ଅସ୍ମିତା ସାରା ବିଶ୍ୱ ଦେଖିଥିଲା। ସମ୍ବଲପୁରୀ ନୃତ୍ୟ ପରିବେଷଣ ହେଉ କି କୋଣାର୍କ ଚକ୍ରର ସାମନାରେ ବିଶ୍ୱନେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା, ସବୁଠି ଓଡ଼ିଶାର ଝଲକ ଦେଖିବାକୁ ମିଳିଥିଲା। ତଥାପି ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ଓଡିଶା ମୁଖ୍ୟମନ୍ତ୍ରୀ କାହିଁକି ଗଲେନି, ତାହା ସ୍ପଷ୍ଟ ହୋଇନାହିଁ । ବିଜେଡି ପ୍ରେସମିଟ୍ କରିଥିଲେ ବି ପ୍ରକୃତ କାରଣ କଣ ତାହା ସ୍ପଷ୍ଟ କରିନି।

Leave a Reply

Your email address will not be published. Required fields are marked *