ମନୋରଞ୍ଜନ

ଅଭିନେତ୍ରୀ ଅସୁସ୍ଥତା ନେଇ ଭୁଲ ଖବର ପ୍ରକାଶ କଲା ୱେବ୍‌ପୋର୍ଟାଲ, ଥାନାରେ ଏତଲା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ ଅନୁ ‌ଚୌଧୁରୀ ସୁସ୍ଥ ଓ ସକ୍ରିୟ ଅଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। କିନ୍ତୁ କ୍ଷୋଭର ବିଷୟ‌ ଯେ, ଅନୁ ଚୌଧୁରୀ କ୍ୟାନସରରେ ପୀଡ଼ିତ ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଏକ ୱେବ୍‌ପୋର୍ଟାଲ ରିପୋର୍ଟ କରିଛି। ଏ ବାବଦରେ ଅବଗତ ହେଲା ପରେ ଅନୁ ଚୌଧୁରୀ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ନିକଟରେ  ‌ସଂପୃକ୍ତ ୱେବ୍‌ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ତାଙ୍କୁ ନେଇ ମନଗଢ଼ା ଖବର ପ୍ରକାଶ ପାଇଲା ପରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି,  ‘‘ମୋତେ ସାମାନ୍ୟ ଥଣ୍ଡା ଧରିଛି। ମୁଁ ସୁସ୍ଥ ଥିବା ବେଳେ ଏକ ନ୍ୟୁଜ୍‌ ୱେବ୍‌ପୋର୍ଟାଲ ଦ୍ବାରା ଖବର ପ୍ରକାଶ କରି ମୋତେ କ୍ୟାନସର ହୋଇଛି ବୋଲି କହିବା ନିହାତି ହୀନ ମାନସିକତାକୁ ଦର୍ଶାଉଛି।” ଏଭଳି କୁଶ୍ଚିତ ମାନସିକତା ଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। ଘଟଣା ସଂପର୍କରେ ମୁଁ ଜାଣି ନଥିଲି। ମୁଁ କାମକୁ ବାହାରୁ ଥିବା ବେଳେ ଜଣେ ପରିଚିତ ପୁରୀରୁ ହଠାତ୍‌ ଫୋନ୍‌ କରି ଏକଥା ଜଣାଇଥିଲେ। ସ୍କ୍ରିନସଟ୍ ହ୍ବାଟ୍‌ସଆପ୍‌ରେ ପଠାଇଥିଲେ। ସଂପୃକ୍ତ ବ୍ୟକ୍ତି ପୁରୀରେ ରିପୋର୍ଟ କରିସାରିଛନ୍ତି। ଏହା ପରେ ମୁଁ ମଧ୍ୟ ସାଇବର ଥାନାକୁ ଲିଙ୍କ ଓ ଫଟୋ ପଠାଇଛି। ନ୍ୟୁଜ୍‌ ପୋର୍ଟାଲ କରି ରୋଜଗାର ଯଦି କରିବାର ଅଛି, ତା’ହେଲେ କରନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ।

ଆଜିକାଲି ବହୁତ ଲୋକ ୟୁଟ୍ୟୁବ୍‌ ଚ୍ୟାନେଲ କରି ଭଲ ଅର୍ଥ ରୋଜଗାର କରୁଛନ୍ତି। କିନ୍ତୁ ଶସ୍ତା ଖବର ପ୍ରସାରଣ କରି ଟଙ୍କା ‌ରୋଜଗାର କରିବା ଠିକ୍‌ ଉପାୟ ନୁହେଁ। ପୂର୍ବରୁ ମଧ୍ୟ ମୋ ଭଳି ଅନ୍ୟ କଳାକାରଙ୍କୁ ନେଇ ଗୁଜବ ଖବର ପ୍ରକାଶିତ ହୋଇଛି। ଲୋକଙ୍କୁ ଆକର୍ଷିତ କଲା ଭଳି ଖବର ପ୍ରକାଶନ ଦ୍ବାରା ଆମକୁ ହଇରାଣ ହେବାକୁ ପଡୁଛି। ଅନେକ ଲୋକଙ୍କର ଫୋନ୍‌ କଲ୍‌ ଆସୁଛି। ପରିବାର ଲେକେ ବ୍ୟସ୍ତ ହେଉଛନ୍ତି। ଶସ୍ତା ମାନସିକତା ନେଇ ଏଭଳି ଖବର ପ୍ରକାଶ କରି ରୋଜଗାରର ପନ୍ଥା ଖୋଜନ୍ତୁ ନାହିଁ। ଯଦି ଆପଣଙ୍କ ନିକଟରେ ପ୍ରତିଭା ଅଛି, ତା’ହେଲେ ଆପଣ ଭଲ କାମ କରି ଅର୍ଥ ରୋଜଗାର କରନ୍ତୁ ବୋଲି ଶ୍ରୀମତୀ ଚୌଧୁରୀ ଭିଡିଓ ଜାରି କରି କହିଛନ୍ତି। ତେବେ ଏତଲା ପାଇଲା ପରେ ସାଇବର ଥାନା ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *