ମୁଖ୍ୟ ଖବର

ଭାରତ’ ନାମ ବ୍ୟବହାର ହେଲେ ଆପତ୍ତି ନାହିଁ, କିନ୍ତୁ… :ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଇଣ୍ଡିଆ’ କିମ୍ବା ‘ଭାରତ’ ନାମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତ (ନାମ) ଉପରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ସମ୍ବିଧାନରେ ସଂଶୋଧନ ନକରି ‘ଇଣ୍ଡିଆ’ ନାମକୁ ହଟାଇବା ଅସାମ୍ବିଧାନିକ ଏବଂ ଭୁଲ୍ ହେବ।ସେହିପରି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ମଧ୍ୟ ମମତା ବାନାର୍ଜୀ ବୟାନ ଦେଇଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପ୍ରତିଶୋଧମୂଳକ ମନେ ହେଉଛି ବୋଲି ସେ କହିଛନ୍ତି ।

ଅକ୍ଟୋବର ୨ ରେ ଆମେ ରାଜଘାଟଯାଇ ପୂଜାର୍ଚ୍ଚନା କରିପାରିବୁ, ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି।

ମମତା ମନ୍ତ୍ରିମଣ୍ଡଳରେ ଅଦଳବଦଳ

ମମତା ସୋମବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ବାବୁଲ ସୁପ୍ରିୟୋଙ୍କୁ ପର୍ଯ୍ୟଟନ ବିଭାଗରୁ ହଟାଇ ଆଇଟି ଓ ଅକ୍ଷୟ ଶକ୍ତି ବିଭାଗ ଦେଇଛନ୍ତି। ପୂର୍ବରୁ ବନ ବିଭାଗର ଦାୟିତ୍ୱରେ ଥିବା ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଏବେ ଶିଳ୍ପ ପୁନରୁଦ୍ଧାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପଞ୍ଚାୟତ ବିଭାଗର ପ୍ରଦୀପ ମଜୁମଦାରଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହା ସହ ଶଶି ପାଞ୍ଜା, ଅରୂପ ରାୟ, ମହମ୍ମଦ ଗୁଲାମ ରବ୍ବାନୀ, ଇନ୍ଦ୍ରାନୀଲ ସେନଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦିଆଯାଇଛି। ଅରୂପ ରାୟଙ୍କ ସମବାୟ ବିଭାଗ ଥିବାରୁ ଏବେ ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଦିଆଯାଇଥିବା ବେଳେ ବାବୁଲ ସୁପ୍ରିୟୋଙ୍କଠାରୁ ନିଆଯାଇଥିବା ପର୍ଯ୍ୟଟନ ବିଭାଗ ଇନ୍ଦ୍ରନୀଲ ସେନଙ୍କୁ ଦିଆଯାଇଛି। ଗୁଲାମ ରବ୍ବାନୀଙ୍କୁ ପରିବେଶ ମନ୍ତ୍ରଣାଳୟ ଦିଆଯାଇଛି।

Leave a Reply

Your email address will not be published. Required fields are marked *